ଭୁବନେଶ୍ବର: ସୋରଡା ରାଜନୈତିକ ହିଂସା ପରେ ବିଜେଡି-ବିଜେପି ମୁଁହାମୁଁହି । ସୋରଡା ରାଜନୈତିକ ହିଂସା ପ୍ରସଙ୍ଗରେ ତେଜୁଛି ବିବାଦ । ଏ ନେଇ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହୋଇଛି ବିଜେଡି । ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଏପଟେ ବୁଥରେ ରାଗିଙ୍ଗ ଓ ଦଳକୁ ବଦନାମ କରାଯାଉଥିବା ଅଭିଯୋଗ କରି ବିଜେଡିକୁ କଡା ଶବ୍ଦରେ ନିନ୍ଦା କରିଛି ବିଜେପି ।
‘ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି । ଏହାର ପ୍ରମାଣ ହେଲା ସୋରଡା ହିଂସାକାଣ୍ଡ ଘଟଣା । ସୋରଡାର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା । ଆଉ ତାକୁ ଘଣ୍ଟ ଘୋଡେଇବାକୁ ଉଦ୍ୟମ କରୁଛି ବିଜେପି ।’ ଏ ନେଇ ବିଜେଡି ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛି । ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ, ଯୋଜନାବଦ୍ଧ ଭାବେ ବିଜେପିକୁ ବଦନାମ କରିବାକୁ ଉଦ୍ୟମ କରୁଛି ଶାସକ ଦଳ । ଏହି ଘଟଣାରେ ବିଜେପି ପ୍ରାର୍ଥୀଙ୍କୁ ବିବାଦ ଭିତରେ ଟାଣିବାକୁ ହୀନ ଉଦ୍ୟମ କରାଯାଉଛି । ଏଣୁ ଏହାର ତଦନ୍ତ ପାଇଁ ଦାବି କରିଛି ବିଜେପି ।