ଓଡିଶା

odisha

ETV Bharat / state

ଆପୋଷ ଯୋଜନା: ରାଜଧାନୀ ବସ୍ତିରୁ ମୂଳ ପୋଛ ହେବ ଅପରାଧ

ବସ୍ତି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ କମ୍ କରିବା ଲାଗି କମିଶନରେଟ ପୋଲିସ ଲାଗୁ କରିବ ଆପୋଷ ଯୋଜନା । ଏଥି ସହିତ ବସ୍ତି ଅଞ୍ଚଳରେ ଯୁବପିଢିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେବ ଏହି ଯୋଜନାର ମୂଳ ଲକ୍ଷ୍ୟ ।

ଫଟୋ ସୌଜନ୍ୟ- ସୋସିଆ ମିଡିଆ

By

Published : Feb 11, 2019, 6:35 PM IST

ଭୁବନେଶ୍ୱର: ଅପରାଧ ମୁକ୍ତ ହେବ ରାଜଧାନୀର ବସ୍ତି । ବସ୍ତିରୁ ମୂଳ ପୋଛ ହେବେ ଅପରାଧୀ । ବସ୍ତି ଅଞ୍ଚଳରେ ରହୁଥିବା ନିରୀହ ବେକାର ଯୁବକ-ଯୁବତୀଙ୍କୁ ମିଳିବ ପୋଲିସ ସହାୟତା । ବସ୍ତି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ କମ୍ କରିବା ଲାଗି କମିଶନରେଟ ପୋଲିସ ଲାଗୁ କରିବ ଆପୋଷ ଯୋଜନା । ଏଥି ସହିତ ବସ୍ତି ଅଞ୍ଚଳରେ ଯୁବପିଢିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେବ ଏହି ଯୋଜନାର ମୂଳ ଲକ୍ଷ୍ୟ ।

ଭିଡିଓ ସୌଜନ୍ୟ-ରିପୋର୍ଟର, ଭୁବନେଶ୍ବର
ତେବେ ରାଜଧାନୀର ବଛା ବଛା ବସ୍ତିରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ ଏହି ଯୋଜନା । ରବିବାର ଏ ନେଇ ସାଲିଆସାହି, ପଥରବନ୍ଧ ବସ୍ତି, ହଳଦିପଡିଆ ଆଦି ବସ୍ତିରେ ପହଞ୍ଚି ପୋଲିସ କମିଶନର ସତ୍ୟଜିତ ମହାନ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ କିଭଳି ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିବ, ଖେଳ ଓ କିଛି ଉନ୍ନୟନମୂଳକ କାର୍ଯ୍ୟ ମାଧ୍ୟମରେ କିଭଳି ବସ୍ତିବାସିନ୍ଦା ପୋଲିସ ସହ ଯୋଡି ହୋଇ ପାରିବେ, ସେ ସମ୍ପର୍କରେ କମିଶନର ଆଲୋଚନା କରିଥିଲେ ।

ତେବେ ଏହି ଯୋଜନା ମାଧ୍ୟମରେ ରାଜଧାନୀରୁ ଅପରାଧ କମ ହୋଇଯିବ ବୋଲି କମିଶନର ଆଶା ପ୍ରକାଶ କରିଛନ୍ତି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ ଆରମ୍ଭ ହେଲେ ବସ୍ତି ଅଞ୍ଚଳରେ ଲୁଚି ରହୁଥିବା ଅପରାଧୀଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିପାରିବ ବୋଲି କମିଶନର କହିଛନ୍ତି ।

ତେବେ ତଥ୍ୟ ଅନୁସାରେ ସହରର 40 ପ୍ରତିଶତ ଅପରାଧ ବସ୍ତି ଅଞ୍ଚଳର ଯୁବପିଢିଙ୍କ ଦ୍ବାରା ହୋଇଥାଏ । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ଆପୋଷ ଯୋଜନା କେତେ ଦୂର ଅପରାଧ ମୁକ୍ତ ବସ୍ତି ଗଠନ କରିବାରେ ସହାୟକ ହେବ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details