ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର ଭୁବନେଶ୍ୱର: 14 ଫେବୃୟାରୀ ଭାଲେଣ୍ଟାଇନ ଡେ । ପ୍ରେମ ପାଇଁ ସମର୍ପିତ ଦିନଟିଏ । ଏଥିପାଇଁ ଚାଲେ ଗୋଟିଏ ସପ୍ତାହର ସେଲିବ୍ରେସନ । ମତୁଆଲ ହୁଅନ୍ତି ଯୁବପିଢି । ରୋଜ ଡେ ରେ ଗୋଲାପ ଦିଅନ୍ତି । ପୁଣି ପ୍ରୋମିଶ ଡେ ରେ ପ୍ରତିଶ୍ରୁତି ଦିଅନ୍ତି ।
ପ୍ରେମକୁ ନେଇ ରହିଛି ଅନେକ ଅକୁହା କଥା ଓ କାହାଣୀ । ବଡ ପରଦାରୁ ଯାତ୍ର ଜଗତ । ସବୁଠି ଝଲସି ଉଠେ ହିରୋ ହିରୋଇନଙ୍କ ପ୍ରେମ କାହାଣୀ । ହେଲେ ଏହା କେବଳ ରିଲରେ ଦେଖାଦିଏ । ଆଜିର ଯୁବପିଢି କେବଳ ସେଲିବ୍ରେସନ ନାମରେ ଏହା ପାଳନ୍ତି । କିନ୍ତୁ ପ୍ରକୃତ ପ୍ରେମ ମାନେ ନାହିଁ କିଛି ବାଧା ଓ ବିଘ୍ନ । ଆଉ ସେମିତି ଏକ କାହାଣୀର ନାୟକ ଓ ନାୟିକା ହେଉଛନ୍ତି ସରୋଜ ଏବଂ ପ୍ରମୋଦିନୀ ।
ସରୋଜ ବୁଝିଛନ୍ତି ପ୍ରକୃତ ପ୍ରେମର ଅର୍ଥ । ଜାଣିଛନ୍ତି ପ୍ରେମ ପାଇଁ ଚେହେରା ନୁହେଁ ଦରକାର ଏକ ସୁନ୍ଦର ହୃଦୟଟିଏ । କଥା ନୁହେଁ ସାଥୀ ପାଇଁ ଲୋଡା ସାହାରା । ସେଥିପାଇଁ ନିଜର ଜୀବନ ସାଥୀ ରୂପେ ବାଛିଛନ୍ତି ଏସିଡ ଆଟାକ ଝିଅ ପ୍ରମୋଦିନୀକୁ । ଏକତରଫା ପ୍ରେମ ନେଇଥିଲା ପ୍ରମୋଦିନୀଙ୍କ ଜୀବନର ସମସ୍ତ ଖୁସି ।
2009ରେ ହୋଇଥିବା ଏସିଡ ମାଡରେ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ଭାଙ୍ଗି ଯାଇଥିଲା ମନ । ସମାଜ ଆଗରେ ମୁହଁ ଦେଖାଇପାରିନଥିଲେ । ହେଲେ ସେହି ବିକୃତ ଚେହେରା ତଳେ ଦୁଇଟି ସୁନ୍ଦର ଆଖି ଦେଖିଥିଲେ ସରୋଜ । ପ୍ରଥମେ ବନ୍ଧୁ ହୋଇ ସେବା କଲେ । ପରେ ସାଥୀ ହୋଇ ସାତ ଜନ୍ମର ସାଥ ଦେଲେ । 2018 ଭାଲେଣ୍ଟାଇନ ଡେ ରେ ହିଁ ନିର୍ବନ୍ଧ କରିଛନ୍ତି । ଆଉ 2020 ସେହି ଭାଲେଣ୍ଟାଇନ ଡେ ରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏବେ ସେମାନେ ଏକାଠି ଭୁବନେଶ୍ୱରର ଏକ ଭଡା ଘରେ ରହିଛନ୍ତି । କାମ କରିବା ସହ ସରୋଜ ନିଜ ପ୍ରେମ ତଥା ପ୍ରମୋଦିନୀଙ୍କର ଉତ୍ତମ ଚିକିତ୍ସା ପାଇଁ ଚେଷ୍ଟା ଚଲାଇଛନ୍ତି । ପ୍ରେମ ତ ସମସ୍ତେ କରନ୍ତି । ହେଲେ ପ୍ରମୋଦିନୀ ଭଳି ଝିଅକୁ ନିଜର ଜୀବନ ସାଥୀ ଭାବେ ବାଛିବାର ସାହାସ ବୋଧହୁଏ ଏଦୁନିଆର ଆଉ କୋଉ ସରୋଜ ପାଖରେ ନାହିଁ । ଆଜିର ଯୁବପିଢି ପାଇଁ ଉଦାହରଣ ପାଲଟିଛନ୍ତି ସରୋଜ । ଦେଖାଇଛନ୍ତି ପ୍ରକୃତ ପ୍ରେମର କରାମତି ।
ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ