ପୁରୀ: 'ଫନି' ଆସି ଓଡିଶାକୁ ଜାଳି ଦେଇଗଲା ତାର କୃର ଅଭିଶାପରେ । ବଦଳି ଯାଇଛି ଓଡିଶାର ମାନଚିତ୍ର । ରାଜ୍ୟ ସାରା ଭୟାଭୟ ଚିତ୍ର ସାମନାକୁ ଆସିଛି । ବିପର୍ଯ୍ୟସ୍ତ ହୋଇ ପଡିଛି ପର୍ଯ୍ୟଟନ ଶିଳ୍ପ । ଉଜୁଡିଯାଇଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ଅନେକ ପର୍ଯ୍ୟଟନସ୍ଥଳୀ । ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ପୁରୀ, କୋଣାର୍କ । ଭାଙ୍ଗିଯାଇଛି ପର୍ଯ୍ୟଟନ ଶିଳ୍ପର ଅଣ୍ଟା । ଫନି ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଅର୍କ କ୍ଷେତ୍ରର ଚିତ୍ର ଚିନ୍ତାଜନକ । କେବେ ପୁଣି ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ତାହା ଏବେ କହିବା ଅସମ୍ଭବ ।
କୋଣାର୍କ ମନ୍ଦିର ପରିସରରେ ଛାରଖାର । ମନ୍ଦିର ସାମ୍ନାରେ ଥିବା ଦୋକାନ ଭାଙ୍ଗି ରୁଜି ଚୁର୍ମାର ହୋଇଯାଇଛି । ସେପଟେ କୋଣାର୍କ ମନ୍ଦିର ବେଢାରେ ବିଶାଳ ବରଗଛ ଭାଙ୍ଗି ପଡି ରହିଛି । ମନ୍ଦିରରେ ଲାଗିଥିବା ଲୁହା ରେଲିଂ ଅନେକ ଖସିପଡିଥିବା ବେଳେ ଅନେକ ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି । କୁଢକୁଢ ଅଳିଆ ଗଦା ହୋଇ ରହିଛି ମନ୍ଦିର ଆଖେପାଖେ । ଏହାସହ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଅନେକ ଗଛ ଉପୁଡି ପଡିଛି । କହିବାକୁ ଗଲେ ସୂର୍ଯ୍ୟମନ୍ଦିରର ଶୌର୍ଯ୍ୟ ଫନି ଲୁଟି ନେଇଛି । ଲାଇଟ ଆଣ୍ଡ ସାଉଣ୍ଡ ସୋ' ନିକଟରେ ମଧ୍ୟ ବିଶାଳ ବରଗଛ ପଡି ରହିଛି ।