ବୌଦ୍ଧ: କୋରୋନା ପାଇଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଏବେ ସରକାର ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏପଟେ ଶନିବାର ପ୍ରବାସୀ ଶ୍ରମିକ ସୁରଟରୁ ଆସୁଥିବା ବେଳେ ବୌଦ୍ଧରେ ଦୁଇଟି ବସ ଖରାପ ହୋଇଯାଇଥଲା । ପ୍ରଥମଟି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ନିକଟରେ ଶନିବାର ସକାଳୁ ବସ ଖରାପ ହୋଇଥିବା ବେଳେ ରାତିରେ ଆଉ ଏକ ଶ୍ରମିକଙ୍କୁ ନେଇଯାଉଥିବା ବସ ବୌଦ୍ଧ ବ୍ରିଜଛକ ନିକଟରେ ଖରାପ ହୋଇଯାଇଥିଲା । ବସରେ ଭୋକ ଉପାସରେ ଥିବା ପଚାଶରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ବୌଦ୍ଧ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀ ତପନ ସ୍ବାଇଁ ଓ ଅନ୍ୟ ଜଣେ ଯୁବ ସ୍ବେଚ୍ଛାସେବୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ମାନବିକତାର ପରିଚୟ ଦେଇଥିଲେ ।
ସେପଟେ ଜଣେ ଶ୍ରମିକଙ୍କୁ ଛତିଶଗଡ଼ ପୋଲିସ ବାଧ୍ୟ କରି ଏକ ବସ ଯୋଗେ ଓଡିଶା ପଠାଇ ଥିବାବେଳେ ବସଟି ସମ୍ପୃକ୍ତ ଶ୍ରମିକକୁ ବୌଦ୍ଧ ଠାରେ ଛାଡିଦେଇ ବ୍ରହ୍ମପୁର ଅଭିମୁଖେ ଚାଲିଯାଇଥିଲା । ଆଉ ସେହି ବସଟି ହିଁ କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଗଲା । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଶ୍ରମିକ ନିଜ ଗ୍ରାମକୁ ଯିବା ପାଇଁ କୌଣସି ଅନୁମତି ପତ୍ର ନଥିବାରୁ ସରକାରଙ୍କୁ ସହଯୋଗ ପାଇଁ ଗୁହାରି କରିଛନ୍ତି ।