କୋରାପୁଟ:ମଣିଷର ସାରା ଜୀବନ ଶିକ୍ଷାର କ୍ଷେତ୍ର ଏବଂ ପ୍ରତି ମୁହୂର୍ତ୍ତରେ ଜୀବନର ଧାରାରେ କିଛି ନା କିଛି ଶିଖିବା ପାଇଁ ସୁଯୋଗ ରହିଥାଏ । ଜୀବନର ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ଅବଦାନ ଥିବା କହିଛନ୍ତି, କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଥିବା ପ୍ରୀତିଧାରା ସାମଲ ।
ଗୁରୁ ଦିବସ ଅବସରରେ ସେ ତାଙ୍କ ଗୁରୁଙ୍କୁ ମନେ ପକାଇ କହିଛନ୍ତି, "ଶ୍ରୀ ଅରବିନ୍ଦ କହିଛନ୍ତି ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ଆଜୀବନ ଏହା ଚାଲିଥାଏ । ଯଦିଓ ମୁଁ ଜଣେ ଅଧ୍ୟାପିକା, କିନ୍ତୁ ଏବେ ବି ମୋ ଗୁରୁମାନଙ୍କଠାରୁ ଶିଖୁଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପଢ଼ାଇବା ପୂର୍ବରୁ ବିଶେଷ କରି ଛାନ୍ଦ, ଚମ୍ପୁ , ପୁରାଣ ପ୍ରଭୃତିକୁ ଆବୃତ୍ତି ମାଧ୍ୟମରେ କିପରି ପଢ଼ାଇ ହୁଏ ଓ ତାକୁ ଆହୁରି କେତେ ସରସ ସୁନ୍ଦର କରିହେବ ସେ ସମ୍ପର୍କରେ ଅଧିକ ଜାଣିବାର ଆଗ୍ରହ ଗୁରୁ ଉମାକାନ୍ତ ଦାସଙ୍କ ପାଖକୁ ଟାଣିନିଏ । ଆଧୁନିକ ସାହିତ୍ୟ ପଢ଼ାଇବା ସମୟରେ ଅଗାଧ ଜ୍ଞାନ ଆହରଣ କରିଥିବା ନାରାୟଣ ପଣ୍ଡା ସାରଙ୍କଠାରୁ ଦୁଇପଦ ଶୁଣିଲେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ଅଧିକ ତଥ୍ୟ ପ୍ରଦାନ କରିହୁଏ ।"