ବୌଦ୍ଧ: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ହେଲେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁଥିବା ମନେ ହେଉନାହିଁ । ପାଠ ପଢ଼ାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ । ଏକାସାଙ୍ଗରେ ଦୁଇ ଦୁଇଟି ଶିକ୍ଷକଙ୍କୁ ବଦଳି କରାଯିବା ପ୍ରତିବାଦରେ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ନେଇ ଏଭଳି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।
ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା
ବୌଦ୍ଧ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଏକାସାଙ୍ଗରେ ଦୁଇ ଦୁଇଟି ଶିକ୍ଷକ ବଦଳି କରିବାରୁ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ
"ଆମ ଦାବି ପୂରଣ କର, ଆମ ଶିକ୍ଷକ ଫେରସ୍ତ କର" ନାରାବାଜି ଦେଇ ସ୍କୁଲ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଅନେକ ସମୟରେ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଏକାସାଙ୍ଗରେ ଦୁଇ ଜଣ ଶିକ୍ଷକଙ୍କ ବଦଳି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାବକ କହିଛନ୍ତି," ବୌଦ୍ଧ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଚାଲିଛି । ଯେଉଁଠାରେ ଶିକ୍ଷକ ଆବଶ୍ୟକତା ରହିଛି ସେଠାରେ ଦିଆଯାଉନାହିଁ ଏବଂ ଯେଉଁଠାରେ ଆବଶ୍ୟକତା ନାହିଁ ସେଠାରେ ନିଯୁକ୍ତି ଦିଆଯାଉଛି ।" କଙ୍କଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାନଯିବା ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ପ୍ରବଳ ଖରାରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବୌଦ୍ଧ ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଖବର ପାଇ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସିଆରସିସି ବିଦ୍ୟାଳୟରେ ପହଞ୍ଚି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଇଟିଭି ଭାରତ, ବୌଦ୍ଧ