ବୌଦ୍ଧ:ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ଦେବୀ ମା' ଭୈରବୀ(Maa Bhairabi)ଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଗୁପ୍ତ ପୂଜନ ଉତ୍ସବ । ଶନିବାର ମୂଳାଷ୍ଟମୀରେ ପୁଅଜୀଉନ୍ତିଆ ଅବସରରେ ଦେବୀଙ୍କ ବିଜୟ ପ୍ରତିମା ଓ ପାଟ୍ଟଖଣ୍ଡାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଘଣ୍ଟ ଘଣ୍ଟା, ବୀର କାହାଳୀ ଓ ଢୋଲ ବାଦ୍ୟର ତାଳେ ତାଳେ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଶାରଦୀୟ ଷୋହଳ ପୂଜା ।
ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଦେବୀ ମା' ଭୈରବୀଙ୍କ ପୀଠ । ଏଠାରେ ପ୍ରାଚୀନ କାଳରୁ ଶାରଦୀୟ ଷୋହଳ ପୂଜା ସମ୍ପୂର୍ଣ୍ଣ ଗୁପ୍ତ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ପରମ୍ପରା ମୁତାବକ ମୂଳାଷ୍ଟମୀ ବା ପୁଅଜୀଉନ୍ତିଆ ଅବସରରେ ଦେବୀଙ୍କ ବିଜୟ ପ୍ରତିମା ଓ ପାଟ୍ଟଖଣ୍ଡାକୁ ମୁଖ୍ୟ ପୂଜକଙ୍କ ଗୃହରୁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଅଣାଯାଇଥିଲା । ଉକ୍ତ ପବିତ୍ର ସାମଗ୍ରୀ ଗୁଡିକୁ ମନ୍ଦିର ମଧ୍ୟରେ ସ୍ଥାପନ ସହିତ ମଧ୍ୟ ରାତ୍ରିରୁ ଷୋହଳ ପୂଜନ ଉତ୍ସବର ଅୟମାରମ୍ଭ ହୋଇଥାଏ । ଷୋହଳ ଦିନରେ ଦେବୀଙ୍କୁ ଷୋହଳ ବେଶରେ ପୂଜାର୍ଚ୍ଚନା କରାଯିବ, ଏହି ସମସ୍ତ ବିଧି ସମ୍ପୂର୍ଣ୍ଣ ମନ୍ଦିର ବନ୍ଦ ତଥା ବାହ୍ୟ ଆଲୋକ ରହିତରେ ସମାପନ କରାଯାଇଥାଏ । ଏଥିସହିତ କେବଳ ପୂଜକ ଓ ସେବାୟତଙ୍କୁ ଛାଡି ଅନ୍ୟ ସମସ୍ତ ଶ୍ରଦ୍ଧାଳୁ ଦେବୀ ଭୈରବୀଙ୍କ ଦର୍ଶନରୁ ବଞ୍ଚିତ ରହିଥାନ୍ତି ।