ବୌଦ୍ଧ:ପବିତ୍ର ରାମ ନବମୀ ଅବସରରେ ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା । ଏହି ଅବସରରେ ଦିନ ତମାମ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସନ୍ଧ୍ୟାରେ ଦୀପଦାନ କାର୍ଯ୍ୟକ୍ରମ ସହିତ ମହାନଦୀରେ ମହାଆଳତୀ ପର୍ବ ପାଳନ କରାଯାଇଥିଲା ।
ପବିତ୍ର ଶ୍ରୀରାମ ନବମୀ ପାଇଁ ବୌଦ୍ଧ ଜିଲ୍ଲାର ଶତାଧିକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ସଦର ମହକୁମାର ରଘୁନାଥ ପୀଠ ସହିତ କେଲାକଟା, ସରସରା, ବାମଣ୍ଡା, ବରଝୁଲି, ପୀତାମ୍ବର ପୁର,ନାରାୟଣନଗର, ବହିରା, ବାଉଁଶୁଣୀ ମନମୁଣ୍ଡା, ଆମ୍ବଗାଁ, କଣ୍ଟାମାଳର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ରାମଚନ୍ଦ୍ରଙ୍କ ପୀଠରେ ଗତକାଲି ନବମୀ ଉତ୍ସବ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭିନ୍ନ ପୀଠରେ ଶ୍ରୀ ରାମଙ୍କ ଜନ୍ମ ନାଟକ ପାଳନ କରାଯାଇଥିବା ବେଳେ ବିଭିନ୍ନ ଦିବସକୁ ଧାର୍ଯ୍ୟ କରି ଶ୍ରୀ ରାମଲୀଳା ନାଟକ ଅନୁଷ୍ଠିତ ହେବ । ବୌଦ୍ଧର ପ୍ରସିଦ୍ଧ ରାମଲୀଳା ନାଟକ ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ନାଟିକା ମଞ୍ଚସ୍ଥ ହୋଇଥିଲା ।