ବୌଦ୍ଧ:ପ୍ରଥମ ଥର ପାଇଁ ଆୟୋଜିତ ହେଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ । ବୌଦ୍ଧ ଜିଲ୍ଲାରେ ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଲୀଳା ମହୋତ୍ସବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଏହା ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଶୈଳୀରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ ।
ବୌଦ୍ଧ ଜିଲ୍ଲାର ୩ଟି ବ୍ଲକରେ ବୈଷ୍ଣବ ସଂସ୍କୃତି ଦେଖିବାକୁ ମିଳେ । ଜିଲ୍ଲା ସଦରମହକୁମା ଠାରେ ରହିଛି ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ହେଉଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର କୁହାଯାଉଥିବା ଗଡ଼ଜାତ ବୌଦ୍ଧ ଜିଲ୍ଲାର ଶତାଧିକ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ପୀଠ ରହିଛି । ଶ୍ରୀଜଗନ୍ନାଥଙ୍କ ଆଦି ରୂପ ଶ୍ରୀ ନୀଳମାଧବଙ୍କୁ ବଜିଲ୍ଲାର ଗନ୍ଧରାଡ଼ିଠାରେ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରାଯାଉଛି ।
ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ଏହା ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଶୈଳୀରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଜି ମାର୍ଗଶୀର ମାସର ଶେଷ ଗୁରୁବାର ଥିବାବେଳେ ଆଜିଠାରୁ ଆରମ୍ଭ ହୋଇଛି 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ' । ଏହି ମହୋତ୍ସବ ଦେଖିବାକୁ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭକ୍ତମାନେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି ।