ଓଡିଶା

odisha

ETV Bharat / state

ପାଣିରେ ଭାସିଗଲା 24ଲକ୍ଷର ଜଳସେଚନ ପ୍ରକଳ୍ପ, ନିରାଶ ଚାଷୀ

ଚାଷୀ ପାଇବେ ପାଣି । ଖାସ ସେଇଥିପାଇଁ ସରକାର ଜଳସେଚନ ପାଇଁ ମଞ୍ଜୁର କରିଥିଲେ 24 ଲକ୍ଷ ଟଙ୍କା । ନିର୍ମାଣ ହେଲା ପ୍ରକଳ୍ପ ଆଉ ଉଦଘାଟନର ପନ୍ଦର ଦିନ ପରେ ଆସିଲା ବନ୍ୟା । ସାଥିରେ ନେଇ ଚାଲିଗଲା ପ୍ରକଳ୍ପକୁ । ଏବେ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 8, 2019, 3:45 AM IST

ବୌଦ୍ଧ: କେଉଁଠି ଖାଲି ପାଣି ପାଣି ତ କେଉଁଠି ଶୁଖା ମରୁଡି ହେବାକୁ ପରିସ୍ଥିତି ଆସିଗଲାଣି । ପ୍ରକୃତିର ଏହି ବନ୍ୟା ମରୁଡି କୋପରେ ଜର୍ଜରିତ ହେଉଛନ୍ତି ରାଜ୍ୟବାସୀ । ରାଜ୍ୟର ପଶ୍ଚିମାଞ୍ଚଳରେ ଏବେ ଅଧିକାଂଶ ସ୍ଥାନରେ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ କିଛି ସ୍ଥାନରେ ପାଣି ରଚାଉଛି ପ୍ରଳୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ଏହି ସବୁକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ତରଫରୁ ଚାଷୀଙ୍କ ପାଇଁ ବଲାସିଙ୍ଘାଠାରେ ଉଠା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । 24ଲକ୍ଷ 30 ହଜାର ଟଙ୍କା ବ୍ୟୟରେ ସାଲୁଙ୍କୀ ନଦୀରେ ନିର୍ମିତ ହୋଇଥିଲା ଏହି ପ୍ରକଳ୍ପ । ତେବେ ପରିତାପର ବିଷୟ ହେଉଛି ଯେଉଁ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା ସେହି ଲକ୍ଷ୍ୟ ଏବେ ହାସଲ କରିବା ସମ୍ଭବ ନୁହେଁ । କାରଣ ଏହି ପ୍ରକଳ୍ପକୁ ନିର୍ମାଣ କରୁଥିବା ଠିକାଦାର ସଂସ୍ଥାର ମନଇଛା କାର୍ଯ୍ୟ ଯୋଗୁଁ ଏବେ 24ଲକ୍ଷ ପାଣିରେ ଭାସିଯିବା ସହ ଚାଷୀ ମଧ୍ୟ ହତାଶ ।

ଘଟଣାଟି ହେଉଛି ନଦୀ ଗର୍ଭରେ ମୋଟର ପମ୍ପ ବସାଯାଇଛି । ନଦୀ ଗର୍ଭରେ ମୋଟର ନବସାଇବା ପାଇଁ ଗ୍ରାମବାସୀ ଠିକାଦାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଠିକାଦାର କୌଣସି କଥା ଶୁଣିନଥିଲା । ଫଳରେ ଏବେ ସାଲୁଙ୍କୀ ନଦୀରେ ବନ୍ୟା ଆସିବାରୁ ବନ୍ୟା ପାଣିରେ କିଛି ମୋଟର ଭାସିଯିବା ସହ ଆଉ କିଛି ବୁଡି ଯାଇଛି । ଏଭଳି ପରିସ୍ଥିତି ଖାଲି ବଲାସିଙ୍ଘା ଗ୍ରାମରେ ନୁହେଁ କି ସାଲୁଙ୍କୀ ନଦୀରେ ନୁହେଁ ଜିଲ୍ଲାର ବଘିଆପଡା ନିକଟରେ ଦୁଇଟି ଓ ବାଘ ନଦୀରେ ମଧ୍ୟ ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ବୁଡି ଯାଇଥିବା ଜଣା ପଡିଛି ।

ତେବେ ମାତ୍ର ପନ୍ଦର ଦିନ ତଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏପରି ଅବସ୍ଥା ହୋଇଥିବାରୁ ଏହି ଉଠା ଜଳସେଚନର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଆମେ ପରିସ୍ଥିତି ଉପରେ ନଜର ରଖିଛୁ ।


ବୌଦ୍ଧରୁ, ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details