ବୌଦ୍ଧ:ଲଗାଣ ବର୍ଷା ଆଣି ଦେଇଛି ଦୁଃଖ । ବନ୍ୟା ଆଶଙ୍କା ଟଳିଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଦୁଃଖ ବଢ଼ି ଯାଇଛି । ଗତ 3 ଦିନ ଧରି କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିବାବେଳେ ଅନେକ ସ୍ଥାନରେ ଡଙ୍ଗାର ସାହାଯ୍ୟ ନିଆଯାଇଥିବା ଦେଖିବାକୁ ମିଳିଛି । ତେବେ ସେସବୁ ଅଞ୍ଚଳ ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଆଜି ବନ୍ୟାପାଣି ହଟିବା ପରେ ଡାକ୍ତରୀ ଦଳ ସମ୍ପୃକ୍ତ ସ୍ଥାନରେ ପହଞ୍ଚିବା ସହିତ ଚିକିତ୍ସା ଆରମ୍ଭ କରିଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଟଳିବା ପରେ ବର୍ତ୍ତମାନ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ସହାୟତା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଶାସନିକ ସ୍ତରରେ ସମସ୍ତ ଚେଷ୍ଟା କରାଯାଉଛି ।
ଗତ 3 ଦିନ ଧରି ବନ୍ୟା ଘେରରେ ଥିବା ହିତାଧିକାରୀ, ସେମାନଙ୍କ ନିକଟରେ ଯଥେଷ୍ଟ ବିଳମ୍ବରେ ସରକାରୀ ସହାୟତା ପହଞ୍ଚି ଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ କିଭଳି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ସେନେଇ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ବନ୍ୟା ପରେ ଦୂଷିତ ଜଳ କାରଣରୁ ଲୋକେ ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କା ରହିଛି। ଏଣୁ ବିପନ୍ନଙ୍କ ନିକଟରେ ଡାକ୍ତରୀ ଟିମ୍ ପଠାଯାଇଛି।"
ଏହା ବି ପଢନ୍ତୁ...କୁଜଙ୍ଗରେ 40 ଫୁଟର ଘାଇ, ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ