ବୌଦ୍ଧ:ବେଆଇନ ମଦ ଭାଟିରେ ଚଢାଉ ସମୟରେ ଅବକାରୀ ସ୍କ୍ୱାଡ୍କୁ ଅଟକ ଘଟଣାକୁ ନେଇ ପୋଲିସର ଆକ୍ସନ୍ । ବେଆଇନ ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏପରି ଘଟଣା କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମରେ ଘଟିଛି ।
ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ଜିଲ୍ଲା କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମର ମୁଖିଆଙ୍କ ଘରେ ଦେଶୀ ମଦଭାଟି ଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ସେଠାରୁ ପ୍ରାୟ 10 ଲିଟର ରନ୍ଧା ମଦ ସହିତ ଏଥିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିଲା । ଏହି ଖବର ପାଇ ଭାବପୁର ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ଠେଙ୍ଗା ବାଡ଼ି ଧରି ଅବକାରୀ ବିଭାଗର ଟିମ୍କୁ ଅଟକ ରଖିଥିଲେ । ଦୀର୍ଘ ସମୟ ଧରି ସ୍ବତନ୍ତ୍ର ଟିମ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଅବକାରୀ ବିଭାଗ ସେଠାରୁ ବହୁ କଷ୍ଟରେ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ବେଆଇନ ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଅଧିକ ପଢନ୍ତୁ: ପୋଲିସ ଜାଣତରେ ଚାଲିଛି ଦେଶୀ ମଦ ଭାଟି କାରବାର, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ !