ବୌଦ୍ଧ:ସ୍କୁଲ ୟୁନିଫର୍ମ ପିନ୍ଧି, ହାତରେ ପ୍ଲାକାର୍ଡ ଧରି ବସିଛନ୍ତି ପିଲାଏ । ପ୍ଲାକାର୍ଡ ଲେଖାଅଛି, କଲେକ୍ଟର ସାର୍ ଦୟାକର, ଆମ ସାରଙ୍କୁ ଫେରାଇ ଦିଅ । ଜିଲ୍ଲା ଶିକ୍ଷା ବିଭାଗ ହାଏ ହାଏ । ଆମର ଦାବୀ ପୂରଣ ହେଉ । ଆମ ଶିକ୍ଷକ ଆମକୁ ଦରକାର । ଆମ ଶିକ୍ଷକ ଆମକୁ ଫେରାଇଦିଅ । DEO ସାର ହାଏ ହାଏ । ଚନ୍ଦନ ସାର୍ ବିବେକ ସାର୍ ଆମର ଦରକାର । ଶନିବାର ଠାରୁ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଏଭଳି ଆନ୍ଦୋଳନ କରୁଛନ୍ତି । ପ୍ଲାକାର୍ଡରେ ଲେଖିବା ସହ ସ୍ଲୋଗାନ ଦେଉଛନ୍ତି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ କାନ୍ଦି କାନ୍ଦି ଆଖିରୁ ଲୁହ ଝରାଇ ଗୁହାରୀ କରୁଛନ୍ତି ଆମ ଶିକ୍ଷକ ଆମକୁ ଫେରାଇଦିଅ । ଭିକାରୀଙ୍କ ପରି ମାଗୁଛୁ ଭିକ, ଆମ ସାରଙ୍କୁ ଫେରାଇ ଦିଅ । ଚନ୍ଦନ ସାର୍, ବିବେକ ସାର୍ ଆମର ଦରକାର । ଯଦି ଆମକୁ ଆମ ଶିକ୍ଷକ ଫେରାଇ ନଦେବ ତାହେଲେ ଆମ ସାର୍ଟିଫିକେଟ ଦେଇଦିଅ ଆମେ ଆଉ ଏସ୍କୁଲରେ ପାଠ ପଢିବୁ ନାହିଁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ପଞ୍ଚାୟତ ସଦର ମହକୁମାର ଉଚ୍ଚ ବିଦ୍ୟାଳୟରେ ।
ଗୋଟିଏ ପଟେ ପିଲାଏ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଅଭିଭାବକମାନେ ଧାରଣାରେ ବସିଛନ୍ତି । ଆଜକୁ ତିନି ଦିନ ହେଲା ସ୍କୁଲ ବନ୍ଦ, ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । ପିଲାଏ ଗାଁ ଲୋକେ ନିଜ ଜିଦରେ ଅଟଳ । ଯିଏ ଯେତେ ବୁଝାଇଲେ ବି କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ସ୍କୁଲର ଛାତ୍ରୀମାନେ କହୁଛନ୍ତି, "ଆମ ସାରଙ୍କୁ କାହିଁକି ବଦଳି କଲେ । ଆମ ସାର ଆମକୁ ଭଲ ପାଠ ପଢାଉଥିଲେ । ଆମକୁ ଆମ ସାର ଫେରାଇ ଦିଅ, ନହେଲେ ଆମ ସାର୍ଟିଫିକେଟ ଆମକୁ ଫେରାଇ ଦିଅ ।" ଏତକ କହି ଆଖିରୁ ଧାର ଧାର ଲୁହ ଝାରାଇ ପକାଉଛନ୍ତି ଛାତ୍ରୀମାନେ ।