ବୌଦ୍ଧ: ସାତ ସପନ ପାଲଟିଛି ସରକାରୀ ଯୋଜନା । ନାଁ ଅଛି ମୁଣ୍ଡ ଉପରେ ଛାତ, ନାଁ ପହଞ୍ଚିଛି ସରକାରୀ ସହାୟତା । ଏଠି ସେଠି ବିତୁଛି ଗୋଟିଏ ପରିବାରର ପାଞ୍ଚ ପ୍ରାଣୀଙ୍କ ଜୀବନ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ତଳିଏରଡା ଗ୍ରାମର ଦୁଇ ବିଧବା ମହିଳାଙ୍କ ପାଇଁ ସରକାରୀ ଯୋଜନା ଯେପରି ଅପହଞ୍ଚ ହୋଇ ରହିଛି । ତିନୋଟି ସନ୍ତାନ କିଡ଼ନୀ ରୋଗୀ ଶାଶୁଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ମହିଳା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ତଳିଏରଡା ଗ୍ରାମର ଦ୍ରୌପଦୀ ବେହେରା । ଦୀର୍ଘ ବର୍ଷ ହେଲା ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ବର୍ଷ ତାଙ୍କ ସ୍ବାମୀ ମୃତ୍ୟୁ ଘଟିଛି । ସ୍ବାମୀଙ୍କ ମୃତ୍ୟୁର ବର୍ଷେ ହେବାକୁ ବସିଥିବାବେଳେ ଦ୍ରୌପଦୀଙ୍କୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା କିମ୍ବା କୌଣସି ସରକାରୀ ସହାୟତା ମିଳିପାରି ନାହିଁ । ଅନ୍ୟପଟେ ରାଜ୍ୟର ଅନ୍ୟ ଭାଗରେ ବିଧବା ଭତ୍ତାରେ ଦୁର୍ନୀତି ସହ ସଧବା ମହିଳାଙ୍କୁ ହିତାଧିକାରୀ ସଜାଇ ଟଙ୍କା ଲୁଟ୍ର ଅଭିଯୋଗ ଆସିଥିଲା ।
ସେପଟେ ବୃଦ୍ଧା ଶାଶୁ ଅନେକ ଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ । ଏହି ପାଞ୍ଚ ପ୍ରାଣୀ ପାଇଁ ବିଧବା ବୃଦ୍ଧା ଶାଶୁଙ୍କ ପାଞ୍ଚ ଶହ ଟଙ୍କା ଭତ୍ତା ହିଁ ଏକମାତ୍ର ଭରସା । କିଭଳି ତିନୋଟି ପିଲାଙ୍କ ପାଠପଢ଼ା କରିବେ ସେନେଇ ଚିନ୍ତାରେ ଦ୍ରୌପଦୀ । ଏତିକିରେ ତାଙ୍କର ଦୁଃଖ ସରିନାହିଁ । ନିଜ ମାଟିର ଘର ମାଟିରେ ମିଶିଯିବା ପରେ ବର୍ତ୍ତମାନ ଏହି ପରିବାରଟି ଅତ୍ୟନ୍ତ ଅସହାୟ ଭାବରେ ଚଳୁଛନ୍ତି । ସନ୍ଧ୍ୟା ହେଲେ ଖୋଜୁଛନ୍ତି ଆଶ୍ରୟ ।
ଏହା ମଧ୍ଯ ପଢ଼ନ୍ତୁ:ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି