ବୌଦ୍ଧ:ଦୃଢ଼ ଆତ୍ମବିଶ୍ବାସ ଓ ମନୋବଳ ଥିଲେ ସବୁ ସମ୍ଭବ । ନିଜ ଲକ୍ଷ୍ୟକୁ ସଫଳ କରିବାରେ ପରିଶ୍ରମ ହିଁ ବାଟ ଦେଖାଇଥାଏ । ଆମେ କହୁଛୁ ବୌଦ୍ଧ ଜିଲ୍ଲା ସଦର ବୁଟୁପାଲିର ବାସିନ୍ଦା ନିବେଦିତା ବେରିହାଙ୍କ କଥା । ଜିଲ୍ଲାର ପ୍ରଥମ ଯୁବତୀ ଭାବେ ସିଆଇଏସଏଫରେ ସାମିଲ ହୋଇପାରିଛନ୍ତି । ଏକ ସାଧାରଣ ପରିବାରରୁ ଦେଶ ସୁରକ୍ଷା ଦେବାର ଲମ୍ବା ଯାତ୍ରା ନିବେଦିତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲାର ପ୍ରଥମ ଯୁବତୀ ଭାବେ ସିଆଇଏସଏଫରେ ଯୋଗଦେଇ ନିଜ ପରିବାର ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ନିବେଦିତା । ସ୍ବତନ୍ତ୍ର ତାଲିମ ନେଇ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବୌଦ୍ଧ ଜିଲ୍ଲା ସଦର ବୁଟୁପାଲିର ଅଧିବାସୀ ନିବେଦିତା ବେରିହା । ପିଲାଟି ଦିନରୁ ଖେଳକୁଦ ପ୍ରତି ବେଶ ଆକର୍ଷଣ ଥିଲା । ଦେଶ ସୁରକ୍ଷାରେ ସାମିଲ ଯବାନ ଓ ପୋଲିସଙ୍କ ପୋଷାକ ପ୍ରତି ସେ ଆକର୍ଷିତ ହୋଇ ଦେଶ ପାଇଁ କିଛି କରିଦେଖାଇବାର ମନୋବଳ ରଖିଥିଲେ । ନିବେଦିତାଙ୍କ ପିତା ବୌଦ୍ଧ ପୌରାଞ୍ଚଳର ଜଣେ କର୍ମଚାରୀ ଥିବା ବେଳେ ଗତ 2014 ମସିହାରେ ତାଙ୍କ ନିଧନ ହୋଇଯାଇଥିଲା । ତେବେ ମାନସିକ ସ୍ତରରେ ଦୃଢମନା ନିବେଦିତା 2017-18 ମସିହାରେ ୟୁଥ ରେଡକ୍ରସ ମାଧ୍ୟମରେ ମନାଲିରେ ଆୟୋଜିତ ଏକ କ୍ୟାମ୍ପରେ ଯୋଗ ଦେଇଥିଲେ । ପ୍ରବଳ ଇଚ୍ଛାଶକ୍ତି ଏବଂ ଉଦ୍ୟମ ବଳରେ ଓ ପିତାମାତାଙ୍କ ଆଶୀର୍ବାଦ ତଥା ଅନ୍ୟ ସମସ୍ତଙ୍କ ସହଯୋଗରୁ ଶେଷରେ ନିବେଦିତା ସିଆଇଏସଏଫରେ ଚୟନ ହେଲେ । ଏହାପରେ ଗୋଟିଏ ବର୍ଷର କଠିନ ଟ୍ରେନିଂ ନେଇଥିଲେ । ବର୍ତ୍ତମାନ ନିବେଦିତା ଦିଲ୍ଲୀ ମେଟ୍ରୋରେ ଯବାନ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।