ବୌଦ୍ଧ:ରେଳପଥକୁ ନେଇ ପୂରଣ ହେବାକୁ ଯାଉଛି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ । କିନ୍ତୁ ଏହି ରେଳପଥ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନୋମୁଖି କାର୍ଯ୍ୟ ବିଭିନ୍ନ ସମୟରେ ଜନ ଅସନ୍ତୋଷ ସୃଷ୍ଟି କରି ଆସୁଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଛଣାପାଟି ନିକଟରେ ଏକ ଓଭର ବ୍ରିଜକୁ ନେଇ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏଥିସହ ରେଳପଥ ବିଭାଗର ଅପାରଗତା ଯୋଗୁଁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନାଗରିକଙ୍କ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
ତେବେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ବୌଦ୍ଧ ଜିଲ୍ଲାର ଅଧିବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । କିନ୍ତୁ ବିଭିନ୍ନ ସମୟରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନୋମୁଖି କାର୍ଯ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ବର୍ତ୍ତମାନ ଏଭଳି ଏକ କାର୍ଯ୍ୟକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଅଦୃଶ୍ୟ ବାଡ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବଦଲାସାହି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ରେଳପଥ ନିର୍ମାଣ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ ହେଉଛି । ମନମୁଣ୍ଡା ପଟରୁ ବୌଦ୍ଧ ପର୍ଯ୍ୟନ୍ତ ଚାଲିଥିବା ଏହି ରେଳପଥର ମନମୁଣ୍ଡା ଥାନା ଅନ୍ତର୍ଗତ ବିଛଣାପାଟି ନିକଟରେ ଏକ ଓଭର ବ୍ରିଜକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।