ବୌଦ୍ଧ:ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଓ୍ବାର୍ଡ ମେମ୍ବର । ବୌଦ୍ଧର ଖମନମୁଣ୍ଡା ପଞ୍ଚାୟତର କେତେକ ନିର୍ଦ୍ଦିଷ୍ଟ ଓ୍ବାର୍ଡରେ ସରପଞ୍ଚ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ତଥା ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି ଖମନମୁଣ୍ଡା ପଞ୍ଚାୟତ । ହେଲେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ଓ୍ବାର୍ଡ ମେମ୍ବର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଓ୍ବାର୍ଡ୍ ମେମ୍ବରମାନେ ମିଳିତ ଭାବରେ ସରପଞ୍ଚଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ଠିକରେ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ସେହିପରି ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଉପାନ୍ତ ଅଞ୍ଚଳରେ ଥିବା ପଞ୍ଚାୟତର ବିକାଶ ସବୁ ଅଞ୍ଚଳରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ଖମନମୁଣ୍ଡା ପଞ୍ଚାୟତର ନିର୍ଦ୍ଦିଷ୍ଟ ୪ଟି ଓ୍ବାର୍ଡରେ କାର୍ଯ୍ୟ କରି ସରପଞ୍ଚ ବ୍ୟାପକ ଦୁର୍ନୀତି କରୁଥିବା ଓ୍ବାର୍ଡ ସଭ୍ୟମାନେ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।
ସେହିପରି ପଞ୍ଚାୟତର ୭ଟି ଓ୍ବାର୍ଡକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା କାରଣରୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସେଠାରେ ବାଧାପ୍ରାପ୍ତ ହୋଇଥିବା ସଭ୍ୟମାନେ ଅଭିଯୋଗ କରିଛନ୍ତି । ଏଥିସହ ଖମନମୁଣ୍ଡାରେ ଦୀର୍ଘ ୬ବର୍ଷ ହେଲା ସ୍ଥାନୀୟ ଏସିଏମ ତଥା ପମ୍ପ କର୍ମଚାରୀଙ୍କ ଦରମା ରାଜନୀତି ଯୋଗୁଁ ପ୍ରଦାନ କରାଯାଉ ନ ଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇ ଥିବା ବେଳେ ସେ ଲୋକଙ୍କ ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଛି ଓ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି ।