ବୌଦ୍ଧ:ଖାକିରେ ଲାଗିଲା ଦୁର୍ନୀତିର ଦାଗ । ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଥାନା ଅଧିକାରୀ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ମହିଳା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ।
ଏହା ମଧ୍ୟ ପଢ଼ନ୍ତୁ:ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍
ସୂଚନା ଅନୁଯାୟୀ, ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ମହାନଦୀରୁ ବାଲି ଠିକାରେ ନେଉଥିବା ଶରତ କୁମାର ବେହେରା ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ହରଭଙ୍ଗା ପୋଲିସ ଟ୍ରକ ଜବତ କରିଥିଲା । ଏସବୁ ମାମଲାକୁ ରଫାଦଫା ପାଇଁ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବାଲି ବ୍ୟବସାୟୀଙ୍କ ସହ ଡିଲ୍ କରିଥିଲେ । ଏଥିପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ବାଲି ବ୍ୟବସାୟୀ ୮୦ ହଜାର ଟଙ୍କା ଦେବାକୁ ରାଜି ଥିବାବେଳେ ସମୁଦାୟ ଲକ୍ଷେ ଟଙ୍କା ଲାଞ୍ଚ ପାଇଁ ଆଇଆଇସି ଦାବି କରିଥିଲେ । ଏନେଇ ବାଲି ବ୍ୟବସାୟୀ ଫୁଲବାଣୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଏହାପରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ହରଭଙ୍ଗା ଥାନା ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଧରିଥିଲା । ଭିଜିଲାନ୍ସ ପକ୍ଷରୁ ମହିଳା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟଙ୍କୁ ଗିରଫ କରାଯାଇଛି ।