ବୌଦ୍ଧ: ଜଙ୍ଗଲରେ ନିଆଁ ଲାଗିବା ଧାରା କମିବାର ନା ଧରୁନି । ଜଙ୍ଗଲରେ ନିଆଁ ଲାଗିବା ପାଇଁ କେନ୍ଦୁପତ୍ର ତୋଳା, ମହୁଲ ତୋଳା ସହିତ ବନ୍ୟଜନ୍ତୁ ଶିକାର ପ୍ରମୁଖ କାରଣ ବୋଲି ସ୍ପଷ୍ଟ ହୋଇଛି । ବୌଦ୍ଧ ବନଖଣ୍ଡ ଅଧିନରେ ଅନେକ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ କେନ୍ଦୁପତ୍ର ବିଭାଗର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ କର୍ମଚାରୀଙ୍କୁ ସୁରକ୍ଷା ଦେବାପାଇଁ ଖୋଦ ଡିଏଫଓ ଏହାକୁ ଅସ୍ବୀକାର କରିଛନ୍ତି । ସେପଟେ ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁଲଗା ଯାଉଥିବା ଜଣାପଡିଛି ।
ଗତ କିଛି ଦିନ ପୂର୍ବରୁ ମନମୁଣ୍ଡା ବନାଞ୍ଚଳରେ ଏଭଳି କାଣ୍ଡ ଭିଆଇଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ ସହ ଗୋଟିଏ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜଙ୍ଗଲ ବିଭାଗ ଜବତ କରିଥିଲା । ଗୁରୁବାର ପୁଣି କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ମୃତ ବାରହାକୁ ବନ୍ୟପ୍ରାଣୀ ବିଭାଗ ଜବତ କରିଛି । ଗୁରୁବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାରହାକୁ ଶିକାର କରି ଫେରୁଥିବା ବେଳେ ପାଟ୍ରୋଲିଂ ଟିମ ହାବୁଡ଼ରେ ପଡିବା ପୂର୍ବରୁ ମୃତ ବାରହାକୁ ଛାଡି ହିଞ୍ଜଳ ଆଡକୁ ଫେରାର ହୋଇଯାଇଥିଲେ ।