ବୌଦ୍ଧରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍ କ୍ୟାମ୍ପ୍ ବୌଦ୍ଧ:ଜିଲ୍ଲାରେ ପ୍ରଥମ କରି ଉଦଘାଟିତ ହୋଇଯାଇଛି ଇକୋ ରିଟ୍ରିଟ୍ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଡମ୍ବରୁଗଡ଼ ଜଙ୍ଗଲର ସୁଉଚ୍ଚ ସ୍ଥାନରେ ଏଭଳି ରିସୋର୍ଟ ପ୍ରତିଷ୍ଠା କରାଯାଇଛି । ମହାନଦୀ କୂଳରେ ଥିବା ଡମ୍ବରୁଗଡ଼ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ଶହଶହ ବର୍ଷ ଧରି ସିଦ୍ଧ ତପୋବନ ଆଶ୍ରମ ରହିଥିବାରୁ ଦୂରଦୂରାନ୍ତର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାଆନ୍ତି । ତେଣୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାକୁ ଏହାର ବିକାଶ କରାଯାଇ ନିସର୍ଗ ଶିବିର ନାମର ପ୍ରଥମ ଇକୋ ରିଟ୍ରିଟ୍ କ୍ୟାମ୍ପ ଆରମ୍ଭ ହୋଇଛି ।
ଏହି କ୍ୟାମ୍ପ୍ ପରିସରରେ ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଶୀତତାପ ନିୟନ୍ତ୍ରିତ ରିସୋର୍ଟ ପ୍ରତିଷ୍ଠା କରାଯାଇଥିବା ବେଳେ ଖାଦ୍ୟ ଓ ଆମ୍ୟୁଜ୍ମେଣ୍ଟର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ବୌଦ୍ଧ ଜଙ୍ଗଲ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ ପର୍ଯ୍ୟଟକ ।
ଏହା ମଧ୍ୟ ପଢନ୍ତୁ-୪ ଜିଲ୍ଲାରେ ଇକୋ-ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଇକୋ ରିଟ୍ରିଟରେ ପାରମ୍ପରିକ ଖାଦ୍ୟ ବ୍ୟବସ୍ଥା କରାଯିବା ସହିତ ଏହାର ପରିଚାଳନା ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ଦ୍ଵାରା ହେବ ବୋଲି ଜଣାପଡ଼ିଛି । ଜିଲ୍ଲାର ଏହି ପ୍ରଥମ ଇକୋ ରିଟ୍ରିଟକୁ ଜଙ୍ଗଲ ବିଭାଗ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏହି ସମୟରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ଏସପି ରାଜ ପ୍ରସାଦ ଓ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର 22 ଗୋଟି ସ୍ଥାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଅକ୍ସି ଟୁରିଜିମ୍ ମାଧ୍ୟମରେ ଏହାର ଅଧିକ ବିକାଶ ପାଇଁ ଉଦ୍ୟମ କରାଯାଇଥିଲା ।
ଇକୋ ରିଟ୍ରିଟର ପଞ୍ଚମ ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟର ପୁଟସିଲ ଓ ସାତକୋଶିଆରେ ଇକୋ ରିଟ୍ରିଟ୍ର ଉଦଘାଟନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ୪ଟି ସ୍ଥାନରେ ଏକା ସାଙ୍ଗରେ ଇକୋ ରିଟ୍ରିଟ୍ ଉଦଘାଟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକା ଓ ଡିସେମ୍ବର ୧୫ରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ କୋଣାର୍କ ଇକୋ-ରିଟ୍ରିଟ ଆରମ୍ଭ ହେବ । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଛି । ଏହି ଜରିଆରେ ପର୍ଯ୍ୟଟକଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ କରାଯାଉଛି ।
ଇଟିଭି ଭାରତ, ବୌଦ୍ଧ