ବୌଦ୍ଧ: ଲକଡାଉନ ନିୟମକୁ ମାନୁ ନାହାନ୍ତି କେତେକ ଅମାନିଆ । ପ୍ରଶାସନର ଧାର୍ଯ୍ୟ ନିୟମକୁ ନମାନି ବେପରୁଆ ଗାଡି ଚାଳନା ଠାରୁ ଆରମ୍ଭ କରି ସାମାଜିକ ଦୂରତା କଟକଣାକୁ ମଧ୍ୟ ଖାତିର କରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରୁଛି ।
ବୌଦ୍ଧରେ ଲକଡାଉନ ନିୟମ ମାନୁନାହାନ୍ତି ଗାଡି ଚାଳକ ଲକଡାଉନ ହେବାର 35 ଦିନ ଉପରେ ହେଲାଣି । ପ୍ରଶାସନ ପକ୍ଷରୁ କେତେକାଂଶରେ କୋହଳ ହେବା ପରେ ଲୋକ ଆଉ କୌଣସି କଟକଣାକୁ ମାନୁନଥିବା ଦେଖାଯାଉଛି । ମୋଟର ସାଇକେଲରେ ଏକାଧିକ ଲୋକ ଯାତ୍ରା ନିଷେଧ ଥିବା ସତ୍ତ୍ୱେ ଅମାନିଆ ଚାଳକମାନଙ୍କୁ ସାବାଡ କରୁଛି ବୌଦ୍ଧ ପୋଲିସ ।
ଏପରିକି ପୋଲିସ ଚେକିଂ ସମୟରେ ଜଣେ ବ୍ୟାଙ୍କ ଅଧିକାରୀଙ୍କ ଗାଡି ତଳେ ପଡି ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି ଜଣେ ଛୋଟ ଶିଶୁ । ଏକ ବାଇକକୁ ଧକ୍କା ଦେଇ ଗାଡି ଚାଳକ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଭୟରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।
ସେପଟେ ବିନା ପାସରେ ପଡୋଶୀ ଅନୁଗୁଳ ଜିଲ୍ଲାର କିଆକଟା ଠାରୁ କାଠପଟା ବୋଝେଇ ଗାଡିକୁ ବୌଦ୍ଧ ପୋଲିସ ବ୍ରିଜ ଛକ ଠାରେ ଧରିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ବିନା ପାସରେ ଗାଡିମୋଟର ଚାଲୁଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ