ବୌଦ୍ଧ:କଣ୍ଟାମାଳ ବ୍ଲକରେ ବାଟବଣା ସରକାରୀ ଯୋଜନା । ମାଳ ମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି କଣ୍ଟାମାଳ । ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକର କେତେକ ପଞ୍ଚାୟତରେ ସରକାରୀ ଯୋଜନାର ସଫଳ ରୂପାୟନକୁ ନେଇ ହିତାଧିକାରୀ ପ୍ରଶ୍ନ କରିଛନ୍ତି । ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ସେହିପରି ଅନେକ ହିତାଧିକାରୀ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ । ସରକାରୀ ବାବୁଙ୍କ ଉଦାସୀନତା ଯୋଗୁଁ ବ୍ଲକରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟ କାରୀ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ କାମ ଠିକରେ ମିଳୁ ନଥିବା ଅଭିଯୋଗ ହୋଇଛି । ଫଳରେ କଣ୍ଟାମାଳ ବ୍ଲକର ଅନେକ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏବଂ ମନରେଗା କାମରେ ମେସିନ ବ୍ୟବହାର ଏକ ସାଧାରଣ କଥା ହୋଇଯାଇଥିବା କହିଛନ୍ତି ଅଞ୍ଚଳବାସୀ ।
ବ୍ଲକର ଘିକୁଣ୍ଡି, ଯୋଗୀନ୍ଦ୍ରପୁର, ଉମା, ଖମନମୁଣ୍ଡା, ବରଗାଁ, ଖୁଣ୍ଟିଗୋରା, ବରଗୋଛା, ଲମ୍ବସରୀ, ରେଙ୍ଗାଲୀ ଓ ଦପଲା ଭଳି କେତେକ ପଞ୍ଚାୟତରେ ପାନୀୟଜଳ ବର୍ତ୍ତମାନ ଉତ୍କଟ ସମସ୍ୟା ଭାବରେ ଛିଡା ହୋଇଛି । ବ୍ଲକର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ନଳକୂପ ଓ ଓଭରହେଡରୁ ଜଳଯୋଗାଣ ସମସ୍ୟା ରହିଥିବାରୁ ଗ୍ରାମର ମହିଳା ମାନେ ମାଇଲ ମାଇଲ ବାଟ ଚାଲି ଚୂଆରୁ ପାନୀୟଜଳ ସଂଗ୍ରହ କରୁଛନ୍ତି । ପାନୀୟଜଳ ସଙ୍କଟ ଏଡାଇବାକୁ ତେଲନଦୀର ଲୋକାପଡା ଠାରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ସେଠାରୁ କେବେ ପାନୀୟଜଳ ଯୋଗାଣ କେବେ ହେବ ସେନେଇ କୌଣସି ସୂଚନା ନାହିଁ ।