ବୌଦ୍ଧ: ଭଗବାନଙ୍କ ଭରସାରେ ଏବେ କାଳ କାଟୁଛନ୍ତି ଭଗବାନ ଓ ତାଙ୍କ ପରିବାର । ଅସହାୟତା ଓ ସାମାଜିକ ସୁରକ୍ଷା ଠାରୁ ଢେର ଦୂରରେ କାଳକାଟୁଛନ୍ତି ଭଗବାନଙ୍କ ପରିବାର। ଭଗବାନ ଜଣେ ଭିନ୍ନକ୍ଷମ ଓ ତାଙ୍କ ପତ୍ନୀ 10ବର୍ଷରୁ ଉର୍ଦ୍ଧ୍ବ ସମୟ ମାନସିକ ରୋଗରେ ପୀଡିତ । ଏଭଳି ଦୁଃଖଦ ଦୃଶ୍ୟ ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ।
ବୌଦ୍ଧ ଜିଲ୍ଲାର ଗୋଛାପଡା ପଞ୍ଚାୟତର ମଙ୍ଗଳାମୁଣ୍ଡା ଗାଁରେ ସପରିବାର ରହନ୍ତି ଭଗବାନ ମେହେର । ପରିବାର କହିଲେ ପତ୍ନୀ ଓ ଚାରି ଝିଅ । ବହୁ କଷ୍ଟରେ ନିଜ ଦୁଇ ଝିଅ ଙ୍କୁ ବିବାହ କରିଥିବା ଭଗବାନ ଏବେ ଅସହାୟ ହୋଇ ପଡିଛନ୍ତି । କାରଣ ଦୀର୍ଘ 10ବର୍ଷରୁ ଉର୍ଦ୍ଧ ହେଲା ପତ୍ନୀଙ୍କ ମାନସିକ ସ୍ଥିତି ଭଲ ନାହିଁ । ଗତବର୍ଷ ଏକ ଦୁର୍ଘଟଣାରେ ଭଗବାନଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଯାଇଛି ।