ବୌଦ୍ଧ : ଏବେଠୁ ଚିନ୍ତାରେ ଦ୍ବୀପାଞ୍ଚଳବାସୀ । କାହିଁକିନା ବର୍ଷା ଦିନ ଆରମ୍ଭରୁ ମହାନଦୀରେ ଆସିଲାଣି ପାଣି । ମହାନଦୀ ଗର୍ଭରେ ଥିବା ଦ୍ବୀପାଞ୍ଚଳବାସୀଙ୍କ ଗମନାଗମନ ଡଙ୍ଗାର ଆବଶ୍ୟକତା ପଡିଲାଣି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ 17 ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଥିବାବେଳେ ତନ୍ମଧ୍ୟରୁ 13 ଓ 14 ନମ୍ବର ଓ୍ବାର୍ଡ ମହାନଦୀ ଗର୍ଭରେ ରହିଛି । ଏଠାରେ ପ୍ରାୟ ତିନି ହଜାରରୁ ଅଧିକ ଲୋକେ ବସବାସ କରନ୍ତି ।
ଦ୍ବୀପଗ୍ରାମ ମର୍ଜାକୁଦବାସୀଙ୍କ ପାଇଁ ବର୍ଷା ଦିନ ଆସିଲେ ପିଡିଏସ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନେବା କଷ୍ଟକର ହୋଇପଡେ। କାରଣ ଦ୍ବୀପାଞ୍ଚଳବାସୀଙ୍କ ପିଡିଏସ ସାମଗ୍ରୀ ବୌଦ୍ଧ ପଟର ପୋଡାପୋଡା ଠାରେ ପ୍ରଦାନ କରାଯାଇଥାଏ । ବର୍ଷର ଅନ୍ୟ ସମୟରେ ଯେଣତେଣେ ଚଳିଯାଏ । କିନ୍ତୁ ବର୍ଷା ଦିନ ଆସିଲେ ମହାନଦୀରେ ପାଣି ପ୍ରବାହ ଅଧିକ ଯୋଗୁଁ ଡଙ୍ଗା ହିଁ ଏକମାତ୍ର ଭରସା ପାଲଟିଥାଏ ।