ବୌଦ୍ଧ: ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ସହ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେପାଣି ଅଭାବରୁ ଚିନ୍ତାରେ ଚାଷୀ । ଅଗଷ୍ଟ ମାସ ପ୍ରଥମ ସପ୍ତାହ ହୋଇସାରିଥିଲେ ମଧ୍ୟ ଚଳିତ ବର୍ଷାର ପରିମାଣ ସ୍ବାଭାବିକ ହୋଇପାରିନାହିଁ । କେବଳ ଜୁଲାଇ ମାସର ବର୍ଷାକୁ ଆଶ୍ରା କରି ଚାଷ କେତେକ ପରିମାଣରେ ଆଗେଇଛି । କିନ୍ତୁ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଦୌ ଆଗେଇ ପାରିନାହିଁ ।
ଜିଲ୍ଲାର ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର କେନାଲରେ ତଳ ମୁଣ୍ଡକୁ ପାଣି ଅଦ୍ୟାବଧି ପହଞ୍ଚି ପାରୁନାହିଁ । ଗୋଟିଏ ପଟରେ ନିଅଣ୍ଟିଆ ବର୍ଷା ଓ ଅନ୍ୟ ପଟରେ କେନାଲରେ ପାଣି ଅଭାବ ଚାଷୀକୁ ଚିନ୍ତାରେ ପକାଇଛି । ପରିସ୍ଥିତି ଏପରି ହୋଇଛି ଯେ ଅନେକ ସ୍ଥାନରେ କେନାଲ ସଫେଇ ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ଫଳରେ ଚାଷୀ ବର୍ତ୍ତମାନ ଚିନ୍ତାରେ ପଡିବା ସହିତ ପଡିଆ ଜମିରେ ଗାଇଗୋରୁ ଛାଡିବା ଆରମ୍ଭ କଲେଣି ।