ବୌଦ୍ଧ: ପାରିବାରିକ କଳହ ଯୋଗୁଁ ମୃତ୍ୟୁ ପରେ ମଧ୍ୟ ଦୁଇ ପକ୍ଷର ଟଣା ଓଟରାରେ ସତ୍କାର ହୋଇନପାରି ଦିନ ତମାମ ଘରେ ପଡିରହିଲା ମୃତଦେହ । ଶେଷରେ ପୋଲିସ ପହଞ୍ଚି ଅନ୍ତିମ ସଂସ୍କାରରେ କଲା ସହଯୋଗ । ବାପା, ମା, ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଥାଇ ମଧ୍ୟ ପ୍ରାୟ ଗୋଟିଏ ଦିନ ମୃତଦେହ ଘରେ ପଡିରହିଲା । ପରସ୍ପର ଝଗଡା ଓ ଆତ୍ମ ବଡିମା ଯୋଗୁଁ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବଡ ଝାରକଟା ଗ୍ରାମରେ ଥିବା ଗୋଟିଏ ପରିବାରରେ ବାପା, ମା' ଓ ପୁଅ ବୋହୂ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଶାଶୁ ବୋହୂ ମଧ୍ୟରେ ପ୍ରାୟ ସମୟରେ ଝଗଡା ଲାଗି ରହୁଥିଲା ।
ପାରିବାରିକ କଳହର କରୁଣ ପରିଣତି, ଘରେ ପଡିରହିଲା ମୃତଦେହ - ପାରିବାରିକ କଳହ
ବାପା, ମା, ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଥାଇ ମଧ୍ୟ ପ୍ରାୟ ଗୋଟିଏ ଦିନ ମୃତଦେହ ଘରେ ପଡିରହିଲା । ପରସ୍ପର ଝଗଡା ଓ ଆତ୍ମ ବଡିମା ଯୋଗୁଁ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...
ସମ୍ପର୍କ ଭଲ ନଥିବାରୁ ପୁଅ ବୋହୂକୁ ନେଇ ଶ୍ବଶୁର ଘର ପୁରୁଣା ବହିରାରେ ରହୁଥିଲା । ତେବେ ରବିବାର ରାତିରେ ପୁଅର ସୋନପୁର ଡାକ୍ତରଖାନାରେ କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ତା'ର ମୃତଦେହ ଆସି ବଡ ଝାରକଟା ଗ୍ରାମରେ ପହଞ୍ଚି ଥିଲା । ତେବେ ବାପା ପୁଅର ମୃତଦେହ ଗ୍ରହଣ ପାଇଁ ଅରାଜି ହୋଇଥିବା ବେଳେ ଶ୍ବଶୁର ଘର ଲୋକ ମଧ୍ୟ ଅନ୍ତିମ ସଂସ୍କାର କରିବାକୁ ମନାକରିଦେଇଥିଲେ । ଫଳରେ ସୋମବାର ଦିନ ତମାମ ଯୁବକର ମୃତଦେହ ଗାଁରେ ପଡି ରହିଥିଲା ।
ଗୋଟିଏ ପକ୍ଷେ ଘରେ ଶବ ପଡିରହିଥିବା ବେଳେ ଶ୍ବଶୁର ଘର ବାଉଁଶୁଣୀ ଥାନାରେ ପହଞ୍ଚିଥିଲେ । ଏପଟେ ମୃତକଙ୍କ ବାପା ବୌଦ୍ଧ ଏସପିଙ୍କ ନିକଟରେ କରିଥିଲେ ଅଭିଯୋଗ । ଶେଷରେ ସୋମବାର ସଂଧ୍ୟା ପରେ ବାଉଁଶୁଣୀ ପୋଲିସ ବଡ ଝାରକଟା ଗ୍ରାମରେ ପହଞ୍ଚି ମୃତଦେହ ଅନ୍ତିମ ସଂସ୍କାର କରିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ