ବୌଦ୍ଧ: ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବାକୁ ପୁରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଗରିବ ଆଦିବାସୀଙ୍କୁ ପ୍ରଲୋଭିତ କରି ମାଫିଆମାନେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚଳାଇଥିବା ଏହି ବେଆଇନ କାର୍ଯ୍ୟକୁ ମୂଳପୋଛ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲରେ ହୋଇଛି ବ୍ୟାପକ ବେଆଇନ ଗଞ୍ଜେଇ ଚାଷ । ବିଶେଷ ଭାବେ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଶଗଡା, ଆମ୍ବଝରୀ, ଗୁନ୍ଦୁଳିଆ, ବ୍ରାହ୍ମଣୀପାଲି,ବଘିଆପଡା, ବରଗୋଛା, ନାରାୟଣପ୍ରସାଦ, ଲମ୍ବସରୀ , ବିଳାସପୁର ଭଳି ପଞ୍ଚାୟତର ଜଙ୍ଗଲ ଜମିରେ ହଜାର ହଜାର ହେକ୍ଟର ହୋଇଛି ବେଆଇନ ଗଞ୍ଜେଇ ଚାଷ ।
କୋଟିକୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ: ଧ୍ବଂସ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗରିବ ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରି ଆନ୍ତଃରାଜ୍ୟ ମାଫିଆ ଚଳାଉଛନ୍ତି ଏହି ବେଆଇନ କାର୍ଯ୍ୟ । ଜଙ୍ଗଲୀ ଝରଣା ଓ ନାଳ ପାଣିକୁ ବ୍ୟବହାର କରି ସେଥିରେ ପେଷ୍ଟ୍ରିସାଇଡ, ସାର ପ୍ରୟୋଗ କରି ଉନ୍ନତ ଶୈଳୀରେ ହେଉଛି ଏହି ଚାଷ । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି ।
ବିଗତ ପ୍ରାୟ କୋଡିଏ ଦିନ ହେଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଏହି ଚଢ଼ାଉ ଓ ନଷ୍ଟ କରାଯାଉଛି ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ । ଏବେ ଗଞ୍ଜେଇ ସମ୍ପୂର୍ଣ୍ଣ ଅମଳକ୍ଷମ ହୋଇଥିବାରୁ ଗଛକୁ କାଟି ସେଥିରେ ନିଆଁ ଲଗାଯାଉଛି । ଅବକାରୀ ବିଭାଗ ସହିତ ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗ ମିଳିତ ଚଢ଼ାଉ କରି ଏହି ବେଆଇନ କାର୍ଯ୍ୟକୁ ଦମନ ଚଳାଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ