ବୌଦ୍ଧ:କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ । କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମା ସହିତ ସଂଲଗ୍ନ ହୋଇ ରହିଛି ଖଡଙ୍ଗ ନଦୀ କୂଳରେ ଥିବା ଏହି ପଞ୍ଚାୟତ । ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ଏଠାକାର ଲୋକେ । ସମସ୍ୟାର ତାଲିକା ଲମ୍ବା ହୋଇଥିବା ବେଳେ ସମାଧାନ ଶୂନ । ଏଠାରେ ଥିବା ପଞ୍ଚାୟତର କାର୍ଯ୍ୟାଳୟ ପରିତ୍ୟକ୍ତା ଅବସ୍ଥାରେ ପଡି ରହିଛି । ପଞ୍ଚାୟତ କାର୍ଯ୍ୟାଳୟଟି ଦୀର୍ଘ ବର୍ଷ ହେଲା ଭାଙ୍ଗି ଯାଇଥିବା ବେଳେ ଏପର୍ଯ୍ୟନ୍ତ ନୂଆ କାର୍ଯ୍ୟାଳୟଟିଏ ତିଆରି ହୋଇ ପାରିନାହିଁ । ଫଳରେ ଶୌଚାଳୟକୁ ରୋଷେଇ ଘର ରୂପେ ବ୍ୟବହାର କରାଯାଉଛି । ଏହାଛଡା ପଞ୍ଚାୟତରେ ସାମାଜିକ ସୁରକ୍ଷାକୁ ନେଇ ବ୍ୟାପକ ସମସ୍ୟା ଲାଗିରହିଛି । ଏ ସମ୍ପର୍କରେ ଖୋଦ ସ୍ଥାନୀୟ ସରପଞ୍ଚ ବିଭିନ୍ନ ସମୟରେ ଚେଷ୍ଟା କରୁଥିଲେ ମଧ୍ୟ ବ୍ଲକର କେତେକ ସରକାରୀ ବାବୁଙ୍କ ଅସହଯୋଗ କାରଣରୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ ।
ଏପଟେ ନଦୀକୂଳରେ ଏହି ପଞ୍ଚାୟତ ଥାଇ ମଧ୍ୟ ପାନୀୟ ଜଳ ସମସ୍ୟାରେ ଜର୍ଜରିତ ସ୍ଥାନୀୟ ବାସିନ୍ଦା । ଚିରସ୍ରୋତା ଖଡଙ୍ଗ ନଦୀ ବନ୍ଧ ଯୋଜନା ପ୍ରସ୍ତାବ ଅଟକି ରହିଥିବା ବେଳେ ଖୁଣ୍ଟିଗୋରା ସମେତ ନାରାୟଣପ୍ରସାଦ, ଉମା,ବରଗାଁ, ଲମ୍ବସରୀ, ଖଲିଆପାଲି ଭଳି ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତର ଚାଷୀ ଜଳସେଚନରୁ ବଞ୍ଚିତ ରହୁଛନ୍ତି । ଅନେକ ସମୟରେ ଖଡଙ୍ଗ ନଦୀବନ୍ଧ ଯୋଜନା ନିମନ୍ତେ ପ୍ରତିନିଧି ଦଳ ପରିଦର୍ଶନ କରି ବିଭିନ୍ନ ପ୍ରସ୍ତାବ ଦେଇ ଫେରୁଛନ୍ତି । କିନ୍ତୁ ଏହାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ।