ବୌଦ୍ଧ:ଆକ୍ସନ ମୋଡ୍ରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ପ୍ରଶାସନର ଜିରୋ ଟଲେରାନ୍ସ ନୀତିରେ ସାବାଡ୍ ହେଉଛନ୍ତି ନକଲି ଶିକ୍ଷକ । ଦୁଇ ଦିନ ପୂର୍ବରୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ପୁଣି ଜଣେ ଜାଲ୍ ସାର୍ଟିଫିକେଟଧାରୀ ଶିକ୍ଷକ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଯାହାକୁ ନେଇ ନକଲି ଶିକ୍ଷକଙ୍କ ମଧ୍ୟରେ ଏବେ କୋକୁଆ ଭୟ ଖେଳିଯାଇଛି ।
ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ ଦୁର୍ନୀତିରେ ବୁଡି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ(Satya Ranjan Sahoo) କାର୍ଯ୍ୟରେ ଯୋଗ ଦେବା ପରେ ସେ ପ୍ରଥମେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଛନ୍ତି । ନୂତନ ଜିଲ୍ଲାପାଳ ଲଗାତାର ବୌଦ୍ଧ ଜିଲ୍ଲାର ବିଭିନ୍ନ ୫ଟି ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି । ସେପଟେ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ନକଲି ଶିକ୍ଷକଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଜାଲ ଶିକ୍ଷାଗତ ସାର୍ଟିଫିକେଟ୍, ଜାଲ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକ ବୃତ୍ତି ହାତେଇଥିବା ଶତାଧିକ ନକଲି ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇ ସାରିଥିବା ସୂଚନା ମିଳିଛି । ଖୁବଶୀଘ୍ର ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।