ବୌଦ୍ଧ:ଦିନକ ପରେ ରାକ୍ଷୀ । ଭାଇ ଭଉଣୀର ପବିତ୍ର ବନ୍ଧନକୁ ଦୃଢ଼ କରିଥାଏ ରେଶମୀ ଡୋରୀ ରାକ୍ଷୀ । ଏହି ସମ୍ପର୍କରେ ନା ଜାତି ଧର୍ମ ଅଛି ନା ଧନୀ ଗରିବ । ଏପରିକି ବୃକ୍ଷ, ଗୃହ ପାଳିତ ପଶୁ, ଠାକୁରଙ୍କ ବିଗ୍ରହ ବା ଫଟୋରେ ମଧ୍ୟ ରାକ୍ଷୀ ବାନ୍ଧି ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିବେ ଲୋକେ । ଏଥି ପାଇଁ ରାକ୍ଷୀ ବଜାର ଚଳଚଞ୍ଚଳ । ରାକ୍ଷୀ କିଣିବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ବିଭିନ୍ନ ପ୍ରକାରର ରାକ୍ଷୀ ବଜାରରେ ବିକ୍ରି ହେଉଥିବା ବେଳେ ବୌଦ୍ଧ ଜିଲ୍ଲାରେ କୁଷ୍ଠା ସଂପ୍ରଦାୟର ଲୋକେ ପ୍ରସ୍ତୁତ କରୁଛନ୍ତି ତୁଳା, ରେଶମ ଓ ପାଟ ସୂତାର ତୁଳା ରାକ୍ଷୀ ।
ରାକ୍ଷୀ ପୂର୍ଣ୍ଣିମା ପାଇଁ ସବୁଆଡ଼େ ଉତ୍ସବର ମାହୋଲ । ଗାଁ ଠାରୁ ନେଇ ସହର ସବୁଆଡ଼େ ରାକ୍ଷୀର ସ୍ବତନ୍ତ୍ର ଷ୍ଟଲ୍ ଖୋଲାଯାଇଛି । ବିଭିନ୍ନ ପ୍ରକାରର ରାକ୍ଷୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି । ଏପରିକି ସୁନା, ରୂପା, ହୀରାରେ ମଧ୍ୟ ରାକ୍ଷୀ ପ୍ରସ୍ତୁତ ହେଉଛି । ତେବେ ଏହି ଚାକଚକ୍ୟଠାରୁ ଟିକିଏ ଅଲଗା ରେଶମ ସୂତା ଓ ପାଟ ସୂତାରେ ତୁଳାର ବ୍ୟବହାରରେ ପ୍ରସ୍ତୁତ ତୁଳା ରାକ୍ଷୀ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ଶହଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ପାରମ୍ପରିକ ପଦ୍ଧତିରେ ଜିଲ୍ଲାର କୁଷ୍ଠା ସଂପ୍ରଦାୟର ପରିବାରମାନେ ଏହି ତୁଳା ରାକ୍ଷୀ ପ୍ରସ୍ତୁତ କରି ଆତ୍ମ ସ୍ବାବଲମ୍ବୀ ହୋଇଛନ୍ତି ।
ଏହି ପବିତ୍ର ତୁଳା ରାକ୍ଷୀକୁ କୁଷ୍ଠା ସଂପ୍ରଦାୟର ମହିଳାମାନେ ଅତ୍ୟନ୍ତ ପବିତ୍ରତା ସହିତ ପ୍ରସ୍ତୁତ କରିଥାନ୍ତି । ଆଉ ଏହି ତୁଳା ରାକ୍ଷୀ କେବଳ ଭଉଣୀମାନେ ଭାଇଙ୍କ ହାତରେ ବାନ୍ଧି ଥାଆନ୍ତି ତାହା ନୁହେଁ, ଏହି ତୁଳା ରାକ୍ଷୀ ଗାଈଗୋରୁ ଓ ଭଗବାନଙ୍କ ଠାରେ ମଧ୍ୟ ବନ୍ଧନ ତଥା ପୂଜନ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ଏହି ତୁଳା ରାକ୍ଷୀକୁ ରାକ୍ଷୀ ପୂର୍ଣ୍ଣିମା ସହିତ, ସପ୍ତପୁରୀ ଅମାବାସ୍ୟା, ନୂଆଖାଇ ପର୍ବ ଭଳି ଉତ୍ସବ ସମୟରେ ମଧ୍ୟ ବ୍ୟବହାର କରାଯାଉଥିବା ଜଣାଯାଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କୁଷ୍ଠା ସଂପ୍ରଦାୟର ଲୋକମାନେ ବସବାସ କରିବା ସହିତ ଏଭଳି ତୁଳା ରାକ୍ଷୀ ପ୍ରସ୍ତୁତ କରି ଅତ୍ୟନ୍ତ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦେଇଥାଆନ୍ତି ।