ବୌଦ୍ଧ: ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନର ଭୂସ୍ବର୍ଗ । ନିଜ ବକ୍ଷରେ ତିନି ହଜାର ବର୍ଷର ଇତିହାସକୁ ସାଉଁଟି ରଖିଛି ଦ୍ବିତୀୟ କାଶୀ କ୍ଷେତ୍ର ଭାବେ ପରିଚିତ ଐତିହ୍ୟ, ସଂସ୍କୃତିର ସହର ବୌଦ୍ଧ । ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ପୁଣ୍ୟତୋୟା ମହାନଦୀର ଦକ୍ଷିଣ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଅତୀତ ଅତ୍ୟନ୍ତ ଗୌରବାମୟ । ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ ଓ ମହିମା ଆଦି ପଞ୍ଚ ଧର୍ମର ମିଳନ ସ୍ଥାନକୁ ଓଡ଼ିଶାର ସାଂସ୍କୃତିକ ନାଭିକେନ୍ଦ୍ର ରୂପେ ବିବେଚନା କରାଯାଏ । ଜିଲ୍ଲାର କୋଣ ଅନୁକୋଣରେ ଭରି ରହିଛି ପ୍ରକୃତି ପର୍ଯ୍ୟଟନର ଅପରୂପ ସମ୍ଭାର ।
ବୌଦ୍ଧ ଅଞ୍ଚଳର ନାମକରଣରୁ ହିଁ ଏହି ଅଞ୍ଚଳରେ ବୌଦ୍ଧ କିର୍ତ୍ତୀରାଜୀର ସୂଚନା ମିଳେ । ବିଶେଷ ଭାବରେ ବୌଦ୍ଧ ସହରର ବୁଦ୍ଧଙ୍କ ଧ୍ୟାନମୁଦ୍ରା ପ୍ରତିମା ସହ ଶ୍ୟାମଶୁନ୍ଦରପୁର ଓ ପରଗଳପୁରର ବୌଦ୍ଧ କିର୍ତ୍ତିରାଜୀ ଜିଲ୍ଲାର ଅନ୍ୟତମ ପରିଚୟ । ଜିଲ୍ଲାରେ ଥିବା ଦୁଇ କେନ୍ଦ୍ର ପତ୍ନତତ୍ତ୍ବ ମନ୍ଦିର ଯଥା ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧର ତନ୍ତ୍ରାୟିତ ରାମେଶ୍ବର ମନ୍ଦିର ସମୂହ ଓଡିଶା ଇତିହାସ ଓ ମନ୍ଦିର ସ୍ଥାପତ୍ୟର ଅନନ୍ୟ ଉଦାହରଣ ।
ଏହା ସହିତ ଯୋଗୀନ୍ଦ୍ର ବିଳାଶ ରାଜପ୍ରାସାଦର ଜରାଜୀର୍ଣ୍ଣ ମୁଖଶାଳା, ବୁଟୁପାଲି, ନାରାୟଣନଗରର ବାନ୍ଧକଳା, ପୁରୁଣାକଟକର ମା’ ଭୈରବୀ, ବାଉଁଶୁଣୀର ଛତ୍ରଯାତ୍ରା, ମର୍ଜାକୁଦ, ଋଷିବନ୍ଧର ଚୂଡାଖାଇ ଯାତ୍ରା କଣ୍ଟାମାଳର କନ୍ଧେନବୁଢୀ ଯାତ୍ରା ପର୍ଯ୍ୟଟକଙ୍କୁ ସଦାକାଳରୁ ଆକର୍ଷିତ କରିଆସିଛି ।