ବୌଦ୍ଧ :ମହାନଦୀର ମଝି ନଦୀରେ ବୁଡିଲା ଡଙ୍ଗା । ସେଥିରେ ବସିଥିବା ଜଣେ ପାଞ୍ଚ ବର୍ଷର ଶିଶୁ ସମେତ ବାର ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଦିନରେ ଜଳସ୍ତର ବୃଦ୍ଧି ପାଇବା ସହ ମର୍ଜାକୁଦ ସମେତ ପଡୋଶୀ ଜିଲ୍ଲା ସୋନପୁର, ଅନୁଗୁଳ ଜିଲ୍ଲାକୁ ଡଙ୍ଗା ମାଧ୍ୟମରେ ଯାତ୍ରା କରିଥାନ୍ତି ଯାତ୍ରୀ । ତେବେ ଅଧିକାଂଶ ସମୟରେ ଏହି ନୌକା ଯାତ୍ରା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇଥିବାରୁ ଅନେକ ସମୟରେ ଅଘଟଣ ଘଟିବାର ନଜିର ରହିଛି ।
ମଙ୍ଗଳବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତିପତିଙ୍ଗା ଅଞ୍ଚଳର ବାର ଜଣ ଏକ ନୌକାରେ ଧଳପୁର ସେତୁ ଘାଟ ପଟକୁ ଆସୁଥିବା ବେଳେ ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଥିଲା । ଡଙ୍ଗାରେ ଗୋଟିଏ ପରିବାରର ତିନି ଜଣ ମହିଳା ଓ ଜଣେ ପାଞ୍ଚ ବର୍ଷର ଶିଶୁ ସମେତ ସାତ ଜଣ ପୁରୁଷ ଧଳପୁର ନିକଟସ୍ଥ ତେନ୍ତୁଳି ପଦର ଗ୍ରାମକୁ ଏକ ବିବାହ ଭୋଜି ପାଇଁ ଆସୁଥିଲେ । ତେବେ ଡଙ୍ଗାର ନାବିକ ଅତ୍ୟାଧିକ ମଦ୍ୟପାନ କରିଥିବା ହେତୁ ଡଙ୍ଗା ଉପରେ ନିୟନ୍ତ୍ରଣ ହରାଇ ଥିଲା । ଫଳରେ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା ।