ବୌଦ୍ଧ: ଏଣିକି ଆଶା ମାଆ ଭାବେ ପରିଚିତ ହେବେ ଆଶା ଦିଦି । ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବୌଦ୍ଧ ଜିଲ୍ଲାପାଳ ଆଶାକର୍ମୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶା ଦିଦିରୁ ଆଶା ମାଆ ଭାବେ ପରିଚିତ ହେବେ ବୋଲି କହିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କହିଛନ୍ତି, "ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ଆଶା ଦିଦି ଓ ଅଙ୍ଗନବାଡି ଦିଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଠାରୁ ନେଇ ସରକାରଙ୍କ ସମସ୍ତ ଯୋଜନା ତଳ ସ୍ତରରେ ପହଞ୍ଚାଉଥିବା କର୍ମଚାରୀ ହେଲେ ଆଶା କର୍ମୀ । ଏହି ଆଶାକର୍ମୀ ବା ଦିଦି ଏଣିକି ଆଶା ମାଆ ଭାବରେ ପରିଚୟ ଲାଭ କରିବେ ।"
ଉପାନ୍ତ ଅଞ୍ଚଳରେ ଗର୍ଭାବସ୍ଥାରୁ ନେଇ ମଶାଣିରେ ଜୁଇ ଜଳିବା ପର୍ଯ୍ୟନ୍ତ ସହଯୋଗ କରୁଥିବା ଜଣେ ମହିଳା ହେଲେ ଆଶାକର୍ମୀ । କୁସଂସ୍କାର, ଅନ୍ଧବିଶ୍ୱାସ, ସାମାଜିକ ବାସନ୍ଦ, ବାଲ୍ୟବିବାହ ଭଳି ବିଭିନ୍ନ ବ୍ୟବସ୍ଥାକୁ ତଳ ସ୍ତରରେ ସହଯୋଗ କରି ସହାୟତା କରୁଥିବା ଆଶା ଦିଦି ଏଣିକି ଆଶା ମାଆ ଭାବରେ ପରିଗଣିତ ହେବେ । ସରକାରଙ୍କ ସମସ୍ତ ଯୋଜନାକୁ ତଳ ସ୍ତରରେ ପହଞ୍ଚାଇ ଲୋକଙ୍କ ସୁଖଦୁଃଖରେ ସହାୟ ହେଉଥିବା ଆଶା ଦିଦିଙ୍କ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।