ବୌଦ୍ଧ:ଖୋଲା ଆକାଶ ତଳେ ଚାଲିଛି ଶିଶୁର ଭବିଷ୍ୟତ ଗଢା । ନା ପାଠପଢାର ଆବଶ୍ୟକ ଉପକରଣ ରହିଛି ନା ମୁଣ୍ଡ ଉପରେ ଅଛି ଛାତ । ତଥାପି ବିପଦଜନକ ଅବସ୍ଥାରେ ପାଠ ପଢୁଛନ୍ତି କଅଁଳ ଶିଶୁ । ଶିକ୍ଷା ବ୍ୟବସ୍ଥାର ଏଭଳି କଦର୍ଯ୍ୟ ଚିତ୍ର କେଉଁ ଉପାନ୍ତ ଅଞ୍ଚଳର ନୁହେଁ ବରଂ ବୌଦ୍ଧ ଜିଲ୍ଲା ମୁଷୃଣ୍ଢି ପଞ୍ଚାୟତ ଯୋଗିବେରୁଣୀ ଗ୍ରାମସ୍ଥିତ ଅଙ୍ଗନବାଡି କେନ୍ଦ୍ରର ଅଟେ । ସବୁଠୁ ବଡ କଥା ହେଉଛି, ଏହି ଅଙ୍ଗନବାଡି କେନ୍ଦ୍ର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ସିଡିପିଓଙ୍କ କାର୍ଯ୍ୟାଳୟ ।
ଯୋଗିବେରୁଣୀ ଗ୍ରାମସ୍ଥିତ ଏହି ଅଙ୍ଗନବାଡି କେନ୍ଦ୍ରର ପୂର୍ବରୁ ଟିଣ ଛାତ ରହିଥିଲା । ମାତ୍ର ଗତବର୍ଷ ଫେବୃଆରୀ ମାସରେ ଏହି ଟିଣ ଛାତଟି ବି ଉଡି ଯାଇଥିଲା । ସେବେଠାରୁ କେନ୍ଦ୍ର ଏଭଳି ଖୋଲା ରହିଛି । ବର୍ତ୍ତମାନ କୋରୋନା ପ୍ରଭାବ ହ୍ରାସ ନେଇ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବା ପରେ ଛୋଟ ଛୋଟ ପିଲା ଉକ୍ତ ଭଙ୍ଗା ଅଙ୍ଗନବାଡି କେନ୍ଦ୍ରରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏ ସମ୍ପର୍କରେ ଅଙ୍ଗନବାଡି ଦିଦି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି ।