ଓଡିଶା

odisha

By

Published : Oct 8, 2020, 5:48 PM IST

ETV Bharat / state

ବର୍ଦ୍ଧିତ ପରିବା ଦର ମାଡରେ ଘାଇଲା ଖାଉଟି, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ!

କୋରୋନା, ଅଦିନିଆ ଲଘୁଚାପ ବର୍ଷା, ଲକଡାଉନ, ସଟଡାଉନ ମାଡରେ ଅହେତୁକ ଭାବେ ବୃଦ୍ଧି ପାଇଛି ପରିବା ଦର । ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । ଅଧିକ ପଢନ୍ତୁ...

ବର୍ଦ୍ଧିତ ପରିବା ଦର ମାଡରେ ଘାଇଲା ଖାଉଟି
ବର୍ଦ୍ଧିତ ପରିବା ଦର ମାଡରେ ଘାଇଲା ଖାଉଟି

ଭଦ୍ରକ: କୋରୋନା ମହାମାରୀ ସମୟରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଲୋକମାନେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ବେଳେ, କନ୍ଦାଉଛି ଆଳୁ ପିଆଜ ସହ ପରିବା ଦର। 100 ଟଙ୍କା ବଦଳରେ 500 ଟଙ୍କାରେ ଭର୍ତ୍ତି ହେଉନି ବ୍ୟାଗ। ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଖାଉଟି।

ବର୍ଦ୍ଧିତ ପରିବା ଦର ମାଡରେ ଘାଇଲା ଖାଉଟି, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ!

ଲଗାତର ଭାବେ ଲକଡାଉନ, ସଟଡାଉନ, ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା। ଆଉ ଏବେ ଆକାଶ ଛୁଆଁ ରହିଛି ପରିବାଦର ଯାହାକି ସାଧାରଣ ଜୀବନ ଯାପନରେ ବାଧା ସୃଷ୍ଟି କରିଛି। ତେବେ ଆଳୁ କିଲୋ ପିଛା 40 ଟଙ୍କା, ରସୁଣ କିଲୋ ପିଛା 130 ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ 60 ଟଙ୍କା। ବାଇଗଣ, ଟମାଟୋ, ଭେଣ୍ଡି, ପୋଟଳ, କାଙ୍କଡ, ଗାଜର, କଲରା, ଝୁଡଙ୍ଗ କିଲୋ ପିଛା 40 ରୁ 60 ଟଙ୍କାରେ ବିକ୍ରି ହେଉଛି। ଫୁଲ କୋବି, ବନ୍ଧା କୋବି ଗୋଟା 60 ରୁ 80 ଟଙ୍କା, କଖାରୁ 30 ଟଙ୍କା, ଅମୃତଭଣ୍ଡା 30 ଟଙ୍କା, ଲଙ୍କା 100, ସଜନା ଛୁଇଁ 120 ଟଙ୍କାରେରେ ବିକ୍ରି ହେଉଛି । କୋରନା କାଳରେ ଏହିପରି ପାରିବା ମୂଲ୍ୟ ବୃଦ୍ଧି ଯୋଗୁଁ ଗରିବ, ଶ୍ରମିକ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହେଉଥିବା ବେଳେ କେବଳ ସରକାରୀ ଚାକିରିଆଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଗ୍ରାହକ ।

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଯୋଗୁଁ ସ୍ଥାନୀୟ ପନିପରିବା ଚାଷ ଉଜୁଡିଯାଇଛି। ତେଣୁ ସ୍ଥାନୀୟ ଆମଦାନୀ ପୁରା ଠପ ହୋଇଯାଇଛି। ବାଧ୍ୟ ହୋଇ ଅନ୍ୟ ଜିଲ୍ଲା ତଥା ରାଜ୍ୟରୁ ଚଢା ଦରରେ ଆମଦାନୀ କରିବାକୁ ପଡୁଛି। ତେଣୁ ଅଧିକ ଦରରେ ବିକ୍ରି କରିବା ପାଇଁ ପଡୁଛି ବୋଲି ବ୍ୟବସାୟ ମାନେ କହିଛନ୍ତି। ତେବେ ଏହି ପରିସ୍ଥିତିରେ ଲୋକଙ୍କ ଚାହିଦା ମଧ୍ଯ କମିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ ମଧ୍ୟ ହୋଟେଲ ବ୍ୟବସାୟ କ୍ଷେତ୍ରରେ ପଡୁଥିବା କହିଛନ୍ତି ହୋଟେଲ ବ୍ୟବସାୟୀ। ଏନେଇ ଆମ ଇଟିଭି ଭାରତ ଟିମ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିବାବେଳେ, ସେ କୋରୋନାରେ ପୀଡିତ ଥିବା ଜଣାପଡ଼ିଛି। ପରେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ, ସେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details