ଓଡିଶା

odisha

ETV Bharat / state

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ, ପରସ୍ପରଙ୍କୁ ଯୋଡିଲା ହୃଦୟର ଭାଷା

Divyanga Couples Marriage: ବିବାହ ବନ୍ଧନରେ ବାନ୍ଧି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନିଆରା ଦମ୍ପତି। ଭଦ୍ରକ ସହର ନିକଟସ୍ଥ ପୂଜାରୀ ସାହି ଦଧିବାବନ ମନ୍ଦିର ପରିସରରେ ହେଉଥିବା ଏହି ନିଆରା ବିବାହ ସମ୍ପର୍କରେ ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 18, 2023, 6:17 PM IST

unique marriage
ନିଆରା ବିବାହ

ନିଆରା ବିବାହ

ଭଦ୍ରକ: ଓଠ କଥା କହିପାରେନି । ହେଲେ ଦୁହେଁ ଦୁହିଁଙ୍କୁ ବୁଝିଛନ୍ତି । ଠାର ଠାରରେ ହୃଦୟ ବୁଝୁଛି ହୃଦୟର ପରିଭାଷା । ସାତ ଜନ୍ମର ସାଥି ହୋଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି । ଜନ୍ମରୁ କଥା ସିନା କହିପାରୁନାହାନ୍ତି କିନ୍ତୁ ବିବାହରେ ସେସବୁ ବାଧା ସୃଷ୍ଟି କରନି । ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଭଦ୍ରକ ସହର ନିକଟସ୍ଥ ପୂଜାରୀ ସାହି ଦଧିବାବନ ମନ୍ଦିର ପରିସରରେ । ଯାହା ଏବେ ସମଗ୍ର ଅଞ୍ଚଳରେ ବିଷୟ ପାଲଟିଛି । ଦୁହେଁ କିଛି କହିପାରନ୍ତି ନାହିଁ । ହେଲେ ପରସ୍ପରର ମନର ଭାଷାକୁ ବୁଝି ସାତ ଜନ୍ମର ସାଥୀ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରହଟା ଗ୍ରାମର ହରିହର ପତିଙ୍କ ପୁଅ ହେଉଛନ୍ତି ମନୋଜ ପତି। ସେ ଜନ୍ମରୁ କଥା କହିପାରନ୍ତି ନାହିଁ। ମନୋଜ ଯାଜପୁରର ଏକ ବେକରୀ ଫ୍ୟାକ୍ଟ୍ରିରେ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ଅନ୍ୟପଟେ ଭଦ୍ରକ ଟାଉନ ଥାନା ନିକଟ ପୂଜାରୀ ସାହି ଗ୍ରାମର ହୋମଗାର୍ଡ ଭାବେ କାର୍ଯ୍ୟରତ ବିଶ୍ୱନାଥ ଦାସଙ୍କ ଝିଅ ହେଉଛନ୍ତି ନନ୍ଦିତା ଦାସ । ସେ ମଧ୍ୟ ଜନ୍ମରୁ କଥା କହି ପାରନ୍ତି ନାହିଁ । ନନ୍ଦିତାଙ୍କ ବାପା ବିଶ୍ବନାଥ ଦାସ କହିଛନ୍ତି, "ଉଭୟଙ୍କ ବିବାହ ପ୍ରସ୍ତାବ ଆଣିଥିଲେ ଜଣେ ସମ୍ପର୍କୀୟ । ଯାହା ପରେ ପରିବାରର ସହମତିକ୍ରମେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା।"

ଏହି ବିବାହକୁ ନିର୍ଦ୍ଧାରିତ ସମୟ ଅନୁଯାୟୀ, ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମନୋଜ ଏବଂ ନନ୍ଦିତା। ତେଣୁ ଉଭୟଙ୍କ ମଧ୍ୟରେ ହୋଇଥିବା ଏଭଳି ନିଆରା ବିବାହ ଉତ୍ସବକୁ ଦେଖିବା ପାଇଁ ଭିଡ ମଧ୍ୟ ଲାଗିଥିଲା । ବ୍ରାହ୍ମଣଙ୍କ ମନ୍ତ୍ରଧ୍ଵନି ଆଉ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୂଜାରୀ ସାହି ଦଧିବାବନ ମନ୍ଦିର ପରିସର । ସେପଟେ ଏହି ନିଆରା ବିବାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଉଭୟଙ୍କ ପରିବାର ।

ଏହା ମଧ୍ୟ ପଢନ୍ତୁ...ଗ୍ରାମବାସୀଙ୍କ ସହଯୋଗରେ ହାତକୁ ଦିହାତ ହେଲେ ଦୁଇ ଦିବ୍ୟାଙ୍ଗ

"ସେମାନେ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ" ବୋଲି କହି ଆଶୀର୍ବାଦ ଦେଇଛନ୍ତି ପୁରୋହିତ। ଏହାସହ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ପରିଜନ ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି । ଉଭୟ ପରସ୍ପରର ମନର କଥା ବୁଝିପାରି ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେବା ସାମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବାକଶକ୍ତି ବାଧିତ ହେବା ଦୁହିଁଙ୍କ ଜୀବନରେ ଯେମିତି କୌଣସି ପ୍ରଭାବ ପକାଇ ପାରିନାହିଁ ଏକଥା ଉଭୟ ପ୍ରମାଣ କରି ଦେଖାଇଛନ୍ତି। ଅନ୍ୟ ଦିବ୍ୟାଙ୍ଗ ପାଇଁ ଉଦାହରଣ ସାଜିଛନ୍ତି ଏହି ଦମ୍ପତି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details