ଭଦ୍ରକ: ଧାନ କିଣା ପକ୍ରିୟା ଆରମ୍ବ ପୂର୍ବରୁ ସେବା ସମବାୟ ସୋସାଇଟି ସେକ୍ରେଟେରୀଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ ଅଭିଯୋଗ । ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ତଦନ୍ତ କରାଯିବା ସହ ସେକ୍ରେଟେରୀଙ୍କୁ ନିଲମ୍ବିତ କରାଯାଇଥିଲା ।
ସେବା ସମବାୟ ସୋସାଇଟି ଘୋଟାଲା ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସେକ୍ରେଟେରୀଙ୍କୁ ପୁନଃ ଥଇଥାନ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ସ୍ଥାନୀୟ ଚାଷୀ ବିଭାଗୀୟ ନୀତିକୁ ସନ୍ଦେହ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏଭଳି ଘଟଣା ଭଦ୍ରକ ବ୍ଲକ ଆମ୍ବରୋଳୀ ସେବା ସମବାୟ ସୋସାଇଟିରେ ଦେଖିବାକୁ ମିଳିଛି । ଏହି ସୋାସାଇଟି ଉପରେ ବାଣିତିଆ, ବନ୍ଧଗାଁ ଓ ଆମ୍ବରୋଳୀ ପଞ୍ଚାୟତର ଚାଷୀମାନେ ନିର୍ଭର କରନ୍ତି ।
ସୁଚନାନୁସାରେ ଏହି ସୋସାଇଟି ସଂପାଦକଙ୍କ ବିରୁଦ୍ଧରେ ଗତ ନଭେମ୍ବର ୨୩ ତାରିଖରେ ଅର୍ଥ ଆତ୍ମସାତ ଅଭିଯୋଗ ଆସିଥିଲା । ଆୟବ୍ୟୟର ଅନିୟମିତତା, ଧାନ କିଣାବିକାରେ ଅନିୟମିତତା ଓ ରେଜିଷ୍ଟାରଙ୍କ ନିର୍ଦେଶକୁ ଅବମାନନା ଆଦି ତ୍ରୁଟି ଦର୍ଶାଇ ଚାଷୀମାନେ ଏକ ପତ୍ର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରେରଣ କରିଥିଲେ ।
ଏହି ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ସହ ସୋସାଇଟି ସେକ୍ରେଟେରୀଙ୍କୁ ଚଳିତ ମାସ ୭ ତାରିଖରେ ନିଲମ୍ବିତ କରିଥିଲେ । ହେଲେ କିଛି ଦିନ ପରେ ତାଙ୍କୁ ଉକ୍ତ କାର୍ଯ୍ୟରେ ପୁନଃ ଥଇଥାନ କରାଯାଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିି । ତେବେ ଏହି ଘଟଣାରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ