ଓଡିଶା

odisha

ଧୁମଧାମରେ ପାଳନ ହେଉଛି ରଜ ପର୍ବ, ଓଡିଆ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ

By

Published : Jun 15, 2023, 10:27 PM IST

ଓଡିଆ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଭଦ୍ରକରେ ନିଆରା ଢଙ୍ଗରେ ପାଳନ ହେଉଛି ରଜ ପର୍ବ । ହିନ୍ଦୁ ଏବଂ ମୁସଲିମମାନେ ମିଶି ଭାଇଚାରାର ପ୍ରତୀକ ସ୍ବରୂପ ଏହି ପର୍ବ ପାଳନ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭଦ୍ରକରେ ନିଆରା ସେଲିବ୍ରେସନ
ଭଦ୍ରକରେ ନିଆରା ସେଲିବ୍ରେସନ

ଭଦ୍ରକରେ ନିଆରା ସେଲିବ୍ରେସନ

ଭଦ୍ରକ:ରଜ ପର୍ବ ପରି ଓଡିଆ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରୟାସ ଆରମ୍ଭ ହୋଇଛି। ଏହାରି ଭିତରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ବେଶ ଧୁମଧାମରେ ରଜ ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ରଜ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାବେଳେ 3 ଦିନ ଧରି ବେଶ ଆଡମ୍ବର ସହକାରେ ଏହାକୁ ପାଳନ କରାଯାଏ। ଏହି ସମୟରେ ଧରିତ୍ରୀ ରଜସ୍ବଳା ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଏହି ରଜ ସଂକ୍ରାନ୍ତିରେ ଚାଷୀ ଭାଇମାନେ ମାଟି ମାଆକୁ ସ୍ପର୍ଶ କରି ନଥାନ୍ତି। ତେଣୁ ରଜ ସରିବା ପରେ ବସୁମତି ସ୍ନାନ ଅର୍ଥାତ ଭୂମି ପୂଜନ କରାଯାଇ ଧରିତ୍ରୀ ମାଆକୁ ଶୁଦ୍ଧ କରି ଚାଷୀ ଭାଇ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି।

ଏହି ଅବସରରେ ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳ ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତଠାରେ ସାମିଲ ହୋଇଥିଲେ। ସେଠାରେ ସାଂସଦ ରଜ ଗୀତ ଗାଇବା ସହ ବେଶ ଆନନ୍ଦ ଉଲ୍ଲାସ ମାହୋଲ ମଧ୍ୟରେ ରଜ ଦୋଳି ଖେଳିଥିଲେ। ଅନ୍ୟ ପକ୍ଷରେ ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦଡା ପଞ୍ଚାୟତରେ ଉଭୟ ହିନ୍ଦୁ ଏବଂ ମୁସଲିମମାନେ ମିଶି ଭାଇଚାରାର ମାହୋଲ ମଧ୍ୟରେ ପାଳନ କରୁଛନ୍ତି ରଜ ପର୍ବ।

ଏହି ତିନି ଦିନ ଲୋକମାନେ ବିଭିନ୍ନ ପ୍ରକାର ପିଠା ପଣା ଓ ଫଳମୂଳ ଭଳି କୃଷି ଜାତ ଖାଦ୍ୟ ଖାଇଥାନ୍ତି। ତେବେ ପାନ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଜରେ ପାନ ଖାଇବାର ପରମ୍ପରା ବେଶ ନିଆରା। କୁଆଁରୀଙ୍କଠାରୁ ଆରମ୍ଭ କରି ବୋହୂ ମାନେ ମଧ୍ୟ ରଜର ଆନନ୍ଦ ଉଠାଇଥାନ୍ତି। ଏମିତିକି ବୋହୂମାନଙ୍କ ବାପ ଘରୁ ଶାଶୁ ଘରକୁ ରଜ ଭାର ଆସିଥାଏ। ଯେଉଁଥିରେ ଆମ୍ବ, ପଣସଠାରୁ ଆରମ୍ଭ କରି ନାରୀର ଶୃଙ୍ଗାର ପାଇଁ ସମସ୍ତ ଜିନିଷ ସଜା ହୋଇ ରହିଥାଏ।

ସହରାଭିମୁଖୀ ସାମାଜରେ ଗ୍ରାମାଞ୍ଚଳରେ ରଜ ପର୍ବ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଏହି କୃଷି ଭିତ୍ତିକ ପର୍ବକୁ ଉଜ୍ଜୀବିତ କରି ରଖିବା ପାଇଁ ମୁକୁନ୍ଦପୁର ଏବଂ ବହୁଦଡା ଆଦି ଅନେକ ସ୍ଥାନରେ ରଜ କମିଟି ମାନ ଗଠନ କରାଯାଇଛି। ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଚଉଁରୀରେ 16 ତମ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳବାସୀଙ୍କ ଉଦ୍ୟମରେ 2008 ମସିହାଠାରୁ ଆରମ୍ଭ ହୋଇଥିବା ଏହି ରଜ ମହୋତ୍ସବ ଯୁବପୀଢିଙ୍କୁ ଉତ୍ସାହିତ କରିବା ସହ ସଂସ୍କୃତି ପୂନଃ ର୍ଜୀବିତ ହୋଇ ରହିବ ବୋଲି ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳ ଉଦବୋଧନ ଦେଇଛନ୍ତି।

ଏଥିସହ ନିତ୍ୟାନନ୍ଦ ମ୍ୟୁଜିୟମରେ ଲୁପ୍ତପ୍ରାୟ ସାମଗ୍ରୀ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମେହେନ୍ଦୀ, ରଙ୍ଗୋଲି, କ୍ୟାରମ, ମ୍ୟୁଜିକ ଚେୟାର, ପୁଚି ଖେଳ ଆଦି ଅନୁଷ୍ଠିତ ହୋଇଛି। ବହୁଦଡା ପଞ୍ଚାୟତର ଯୁବକ ସଂଘ ଉଦ୍ୟମରେ 14 ବର୍ଷ ଧରି ବିଶେଷ ଭାବରେ ଏଠାରେ ଆୟୋଜନ କରାଯାଉଛି। ତେବେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details