ଭଦ୍ରକ:ପାଖଉଛି ପଞ୍ଚାୟତ ଲଢେଇ । ଦିନ ଯେତିକି ପାଖେଇ ଆସୁଛି, ନିର୍ବାଚନୀ ଉଷ୍ଣତା ସେତିକି ବଢୁଛି । ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ଚାଲିଥିବାବେଳେ ବିଜେଡି ପାଇଁ ଅଡୁଆ ହୋଇଛି ଅସନ୍ତୁଷ୍ଟ କର୍ମୀ । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଜେଡିରେ ଗୋଷ୍ଠୀ କନ୍ଦଳ ଏବେ ଦଳର ବିଜୟ ପଥରେ କଣ୍ଟା ହେବାକୁ ବସିଛି । ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ, ହେଲେ ବିଜେଡି ସମର୍ଥିତ ସରପଞ୍ଚ କି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବୁ ନାହିଁ ବୋଲି କହୁଛନ୍ତି ଅସନ୍ତୁଷ୍ଟ କର୍ମୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତରେ ଏଭଳି ରହିଛି ନିର୍ବାଚନୀ ମାହୋଲ ।
2012 ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ । ଏହାପରେ 2017 ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବାଜି ମାତ୍ କରିଥିଲେ । ହେଲେ ଦୌଲତପୁର ପଞ୍ଚାୟତରେ ଚଳିତ ପଞ୍ଚାୟତ ଫାଇଟ୍ ବେଶ୍ ରୋଚକ ହେବାକୁ ଯାଉଛି । ବିଜେଡି ଓ ବିଜେପି ସମର୍ଥିତଙ୍କ ସହ ବିଜେଡି ଅସନ୍ତୁଷ୍ଟଙ୍କ ଜୋରଦାର୍ ଟକ୍କର ଦେଖିବାକୁ ମିଳିଛି । ଯାହା କୁହାଯାଉଛି ବିଜେଡି ଅସନ୍ତୁଷ୍ଟମାନଙ୍କ ଗୋଟି ଚାଳନା ଉଭୟ ଦଳର ଭୋଟ ବ୍ୟାଙ୍କକୁ ମହଙ୍ଗା ପଡିପାରେ । କାରଣ 2017 ପଞ୍ଚାୟତ ନିର୍ବାଚନରେ ମାତ୍ର 144 ଖଣ୍ଡ ଭୋଟରେ ପରାଜିତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମୃତ୍ୟୁଞ୍ଜୟ ବଳ ତାଙ୍କର ଶତାଧିକ ସମର୍ଥକଙ୍କ ନେଇ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସହ ସାମିଲ ହୋଇଛନ୍ତି ।