ଭଦ୍ରକ: ଟ୍ରାକରେ ଟ୍ରାଏଲ ରନ କଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାଏଲ ରନ୍ ସମୟରେ ଭଦ୍ରକ ରେଳ ଷ୍ଟେସନର ଦୁଇ ନମ୍ବର ପ୍ଲାଟ ଫର୍ମରେ ପହଞ୍ଚି ଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ସେଠାରେ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଦୁଇ ନମ୍ବର ପ୍ଲାଟ ଫର୍ମରେ ଦୁଇ ମିନିଟ ରହିବା ପରେ ଏହା ପୁନଶ୍ଚ ତାର ଗନ୍ତବ୍ୟ ମାର୍ଗ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଓଡିଶାରେ ପ୍ରଥମ ଥର ପାଇଁ ଚଳାଚଳ କରିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାକରେ ଟ୍ରାଏଲ ରନ କରୁଥିବା ଦୃଶ୍ୟର ଝଲକ ଦେଖିବା ପାଇଁ ଭଦ୍ରକ ରେଳ ଷ୍ଟେସନରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଆଜିର ଏହି ଟ୍ରେନର ଟ୍ରାକରେ ଟ୍ରାଏଲ ରନ କରିବା ସମୟରେ ରେଳ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଚେନ୍ନାଇ ସ୍ଥିତ ବନ୍ଦେ ଭାରତ ଫ୍ୟାକ୍ଟ୍ରି (ଆଇସିଏଫ୍)ରୁ ଚଳିତ ମାସ 26 ତାରିଖ ଦିନ ବାହାରି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାହାକି ପ୍ରଥମେ ସନ୍ତ୍ରାଗଚ୍ଛି ଷ୍ଟେସନରେ ରହିବା ପରେ ଏହା ପରବର୍ତ୍ତୀ ସମୟରେ ହାୱଡ଼ା ଷ୍ଟେସନକୁ ଯାଇଥିଲା ବୋଲି କହିଛନ୍ତି ସହକାରୀ ଡିଆରଏମ ଗିରିଶ କୁମାର। ଆଜି ଏହା ପ୍ରଥମ ଥର ପାଇଁ ହାୱଡ଼ାରୁ ପୁରୀ ଅଭିମୁଖେ ଥିବା ଟ୍ରାକରେ ଟ୍ରାଏଲ ରନ କରୁଛି ଏବଂ ପରବର୍ତ୍ତୀ ସମୟରେ ଏହାର ଆହୁରି ଟ୍ରାଏଲ ରନ କରିଯିବା ଯୋଜନା ଥିବା ମଧ୍ଯ ସୂଚନା ଦେଇଛନ୍ତି ସହକାରୀ ଡିଆରଏମ।