ଯାଜପୁର: ଯୌତୁକ ଜୁଇରେ ଆଉ ଜଣେ ନବବଧୂ । ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ । ମୃତ ମହିଳା ଜଣକ ହେଲେ ମାହାଙ୍ଗା ଥାନା ଅଞ୍ଚଳର ମାଧବାନନ୍ଦ ବଳଙ୍କ ଝିଅ ରଶ୍ମିତା ବଳ । ମୃତ ରଶ୍ମିତାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଧର୍ମଶାଳା ପୋଲିସ ରଶ୍ମିତାଙ୍କ ସ୍ବାମୀ ଜିତେନ୍ଦ୍ରକୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର
ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମହିଳାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ
ସୂଚନା ମୁତାବକ ପ୍ରାୟ ଏକ ବର୍ଷ ହେବ ମାହାଙ୍ଗା ଥାନା ଅଞ୍ଚଳର ମାଧବାନନ୍ଦ ବଳଙ୍କ ଝିଅ ରଶ୍ମିତା (୨୭) ସହ ଧର୍ମଶାଳା ଥାନା ଅଚ୍ୟୁତପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ପୁଅ ଜିତେନ୍ଦ୍ରଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ରଶ୍ମିତା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ ଜିତେନ୍ଦ୍ର ଫୋନ କରି ରଶ୍ମିତାଙ୍କ ବାପ ଘର ଲୋକଙ୍କୁ ଜଣାଇଥିଲେ । ସ୍ବାମୀ ଜିତେନ୍ଦ୍ର ରଶ୍ମତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ମୃତ ରଶ୍ମିତାଙ୍କ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚି ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ମୃତ ରଶ୍ମିତାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ହେଲେ ଶାଶୁଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା କହିଛନ୍ତି ।
ଇଟିଭି ଭାରତ, ଯାଜପୁର