ଭଦ୍ରକ:ଯୌତୁକ ଜୁଇରେ ଜଳିଲା ନବବଧୂ । ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବାରମ୍ବାର ଯୌତୁକ ଦାବି କରି ଶାଶୁଘର ଅକଥନୀୟ ନିର୍ଯାତନା ଦେବା ସହ ଝିଅକୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ମୃତ ମହିଳାଙ୍କ ପରିବାର ଲୋକେ ।
ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନା ଅଧିନ କୁଆଁସ ଅଞ୍ଚଳର ଅନୁସୟା ମୁଖୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧିନରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ସେ ପିରାହାଟ ଥାନା ଅଧିନ ପିରତିପୁର ଗ୍ରାମର ମନୋଜ ଦାସଙ୍କୁ ପ୍ରେମ କରି ପରିବାର ସମ୍ମତିରେ ବିବାହ କରିଥିଲେ । ଅନୁସୟା ଅନ୍ୟ ଜାତିର ହୋଇ ଥିବାରୁ ବିବାହ ପରେ ଶ୍ବଶୁର ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ ବୋଲି ଅନୁସୟାଙ୍କ ମାଆ କହିଛନ୍ତି । ପରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣାରେ ଶ୍ବଶୁର ଘରକୁ ଅନୁସୟା ଯାଇଥିଲେ । କିନ୍ତୁ ତାଙ୍କୁ ସେଠାରେ ଯୌତୁକ ଦାବି କରିବା ସହ ଅକଥନୀୟ ଅତ୍ୟାଚାର କରାଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତି କି ସ୍ୱାମୀ ମଧ୍ଯ ପରିବାର ଲୋକଙ୍କ ସହିତ ମିଶି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।