ଭଦ୍ରକ: ବିବାହର ପ୍ରଲୋଭନ ଦେଖାଇ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏବେ ନାବାଳିକା ଜଣକ ଗର୍ଭବତୀ । ଏପରି ଲଜ୍ଜାଜନକ ଘଟଣା ଘଟିଛି ଜିଲ୍ଲାର ତିହିଡି ଥାନା କୁବେରା ପଞ୍ଚାୟତରେ । ତୁଳସୀପୁର ଗ୍ରାମର ବ୍ରଜ କିଶୋର ବିଶ୍ବାଳ ନାମକ ବ୍ୟକ୍ତି ବିବାହର ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମାସେ ହେଲାଣି ପରିବାର ଲୋକେ ପୋଲିସକୁ ଅଭିଯୋଗ କରିଥିଲେ ମାତ୍ର ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ଅଭିଯୁକ୍ତକୁ ଗିରଫ ଦାବିରେ ଶନିବାର (3 ଅଗଷ୍ଟ) ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଅଭିଯୋଗ ଅନୁସାରେ, ପାଞ୍ଚମାସ ପୂର୍ବେ ବିବାହର ମିଛ ପ୍ରତିଶୃତି ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ । ପରେ ଅନେକ ବାର ଧମକଚମକ ଦେଇ ମଧ୍ୟ ଦୁଷ୍କର୍ମ କରିଥିଲେ । ପୀଡିତା ଗର୍ଭବତୀ ହେବା କଥା ଜଣାପଡିବା ପରେ ପରିବାର ପକ୍ଷରୁ 27.06.2019ରେ ତିହିଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ପରିବାର ଲୋକ ଓ ପୀଡିତା ଅଭିଯୋଗ କରିଛନ୍ତି ।