ଭଦ୍ରକ:321 ବର୍ଷରେ ପଦାର୍ପଣ କଲା ମା' ଦପାନାୟକାଣୀ ପୀଠର ମକର ଯାତ୍ରା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅର୍ନ୍ତଗତ ଈଶ୍ୱରପୁର ଗାଁର ଦପାନାୟକାଣୀ ପୀଠରେ ମକର ମେଳା ଆରମ୍ଭ ହୋଇଯାଇଛି । ଏହି ମେଳାକୁ ସରସ ସୁନ୍ଦର କରିବା ପାଇଁ ମେଳା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ କରାଯାଉଥିବା ଜଣାଯାଇଛି । ଚଳିତ ବର୍ଷ ଏହା 4 ଦିନ ବ୍ୟାପି ଚାଲିବ ।
ନଈ କୂଳରେ ମା' ଦପାନାୟାକାଣୀଙ୍କ ଙ୍କ ପୀଠ ଅବସ୍ଥିତ। ପୂର୍ବରୁ ଏକ ନଡା ଛପର ଘରେ ମା'ଙ୍କ ପୂଜାର୍ଚ୍ଚନା କରା ଯାଉଥିଲା । 1999 ମସିହା ଜାନୁୟାରୀ 14 ତାରିଖ ମକର ସଂକ୍ରାନ୍ତି ଦିନ ତତ୍କାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧିନୌତି ବସାଇ ମା'ଙ୍କ ମନ୍ଦିରର ଚୂଳି ମାରିଥିଲେ । 1995 ମସିହାରେ ଏହି ପୀଠଟି ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ବେଳେ ଏହାକୁ ପଞ୍ଚତୀର୍ଥ କ୍ଷେତ୍ରରେ ପରିଣତ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟ ଉଦ୍ୟମ ଜାରି ଚହିଛି । ତେବେ ମକର ସଂକ୍ରାନ୍ତି ଠାରୁ ମା’ଙ୍କ ପୀଠରେ 4 ଦିନ ଧରି ଜାକଜମକ ସହିତ ଯାତ୍ରା ଲାଗିଥାଏ । ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ ଧାରୀମାନେ ଅର୍ପଣ କରିଥିବା କୁକୁଡା ଭୋଗ ଲଗା ଯାଇଥାଏ । ଏଥିସହ ନଡିଆ, ଗୁଡ, ଚୁଡା ଏବଂ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟ ଭୋଗ ମଧ୍ୟ କରାଯାଇଥାଏ ।