ଭଦ୍ରକ:ଭାଇଚାରାର ସହର ଭଦ୍ରକ । ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀ । ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ 'ଇଦ-ମିଲାଦୁନ-ନବି' ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି । ଏନେଇ ସହରରେ ଥିବା ସମସ୍ତ ମୁସଲମାନ ସମ୍ପ୍ରଦାୟ ବିଶାଳ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରିଛନ୍ତି ।
ସୁସଜ୍ଜିତ ଆଲୋକମାଳା ସହ ଉତ୍ସବମୁଖର ହୋଇ ଉଠିଥିଲା ସମଗ୍ର ଭଦ୍ରକ ସହର । ଚଳିତବର୍ଷ ଇସଲାମ ଧର୍ମ ସମ୍ବଳିତ ବାର୍ତ୍ତା ନେଇ 70ରୁ ଊର୍ଦ୍ଧ୍ବ ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ବିଭିନ୍ନ ସାହି ବସ୍ତିରୁ ଆସି ଭଦ୍ରକ ସହରରେ ଅବସ୍ଥିତ ଚଉଖଣ୍ଡିରୁ ବାହାରି ସହର ପରିକ୍ରମା କରିଥିଲେ । ଏନେଇ ବିଳମ୍ବିତ ରାତ୍ରିରେ ମଦିନା ମଇଦାନରେ ପହଞ୍ଚିଥିଲା । ତେବେ ପରେ ସେଠାରେ ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସ୍ଥାନରୁ ଏହି ସଭାକୁ ଆସିଥିବା ବକ୍ତାମାନେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ବାଣୀର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।