ଭଦ୍ରକ:ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଦଳକୁ ମଜଭୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ବିଜେଡିରେ ଦିନକୁ ଦିନ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ କରି ବିଧାୟକଙ୍କ ବିରୋଧରେ ବିରୋଧୀଙ୍କ ଗର୍ଜନ ।
ତେବେ ଭଦ୍ରକ ବିଧାୟକ ଏବଂ ବିଜେଡିର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ନେବାରେ ଲାଗିଛି । ବିଶେଷକରି ବିଧାୟକଙ୍କ ବିଦ୍ରୋହୀ ଗୋଷ୍ଠୀ ପୌରଧ୍ୟକ୍ଷା ପଦବୀ ହାତେଇବା ପରଠାରୁ ବିଧାୟକଙ୍କ ଅକଲ ଗୁଡୁମ ଥିବା ଆଲୋଚନା ହେଉଛି । କଳେବଳେ କୌଶଳେ ପୌରାଧ୍ୟକ୍ଷାଙ୍କ କ୍ଷମତାକୁ ସଙ୍କୁଚିତ କରି ନିଜ ପାଇଁ ଭଦ୍ରକବାସୀଙ୍କ ଆଗରେ ବାହା ବାହା ନେବାକୁ ସେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଭଦ୍ରକବାସୀଙ୍କ ଉନ୍ନତିକୁ ଧୂଳିସାତ କରିବା ସହିତ ନୀତିନିୟମ ଊର୍ଦ୍ଧ୍ବରେ ରହି ସରକାରୀ ଯୋଜନାକୁ କାର୍ଯ୍ୟକ୍ଷମ କରାଇ ନଦେବାକୁ ବିଭିନ୍ନ ସମୟରେ ପ୍ରୟାସ କରୁଥିବା ଅଭିଯୋଗ କହିଛନ୍ତି ଦଳୀୟ କର୍ମୀ ।
ତେଣୁ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ୱକୁ ନେଇ ଯେତେ ବେଳେ ପ୍ରଶ୍ନ ଉଠୁଛି ସେଇଠୁ ଆରମ୍ଭ ହୋଇ ଯାଇଛି ବିଜେଡି ମଧ୍ୟରେ ଥିବା ଆଗ ଧାଡିର ନେତାଙ୍କ ଗୋଡ଼ ଟଣାଓଟରା । ସେପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତାଙ୍କ ପୁଅ ଅସିତ ପଟ୍ଟନାୟକ ଏହି ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ ରାଜନୈତିକ ଅଭିସନ୍ଧି ମଧ୍ୟରେ ମାଡ଼ି ଚାଲିଛନ୍ତି। ବିଧାୟକଙ୍କ ଇସାରାରେ ପ୍ରଶାସନିକ କଳ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଅସିତ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦିଆଯାଇଛି ।