ଭଦ୍ରକ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୈତରଣୀ ନଦୀ ବିପଦ ସଙ୍କେତ ଛୁଇଁଛି ।
ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର 17.83 ମିଟରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି। ଗୁରୁବାର ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବା ବେଳେ ଶୁକ୍ରବାର ସକାଳୁ ବିପଦ ସଙ୍କେତ ଛୁଇଁଛି।
ବିପଦ ସଙ୍କେତ ଛୁଇଁଲା ବୈତରଣୀ ନଦୀ ବୈତରଣୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲାରେ କେତେ ପରିମାଣରେ ବର୍ଷା ହୋଇଛି ତାହା ରେକର୍ଡ ଆସିବା ପରେ ବୈତରଣୀର ବନ୍ୟା ସ୍ଥିତି କିପରି ରହିବ ତାହା ଆକଳନ କରି ହେବ। ବର୍ତ୍ତମାନ ତଳ ମୁଣ୍ଡରେ ବର୍ଷା ପାଣି ଜମି ରହିଛି ।
ଅନ୍ୟପଟେ ବୈତରଣୀ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଛୁଇଁଥିବା ଯୋଗୁଁ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ଗୁରୁବାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜଳସମ୍ପଦର ଅଧିକାରୀ ମାନେ ଆଖୁଆପଦା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ