ଭଦ୍ରକ: ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲାଣି । ହେଲେ ଏବେ ସୁଦ୍ଧା ସୁଧୁରିନି ଜିଲ୍ଲାର ସ୍ଵାସ୍ଥ୍ୟ ସେବା ସମସ୍ୟା । ଏବେବି ମେଡିକାଲ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଶତାଧିକ ରୋଗୀ । ହେଲେ ଏନେଇ ସରକାରଙ୍କ ଦ୍ବାହି ଦେଇ ହାତ ଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ଖବର ଅନୁଯାୟୀ, 2011 ଜନ ଗଣନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ମୋଟ ଜନସଂଖ୍ୟା 15,06522 ଜଣ । ହେଲେ ଏଠାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ । 1993 ମସିହା ଏପ୍ରିଲ 1 ତାରିଖରେ ଅବିଭକ୍ତ ବାଲେଶ୍ବର ଜିଲ୍ଲାରୁ ପୃଥକ ହୋଇ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା । ସେତେବେଳେ ସବଡିଭିଜନ ମାନ୍ୟତାରେ ଥିବା ଭଦ୍ରକ ଚିକିତ୍ସାଳୟରେ 191 ଜଣ ଅନ୍ତେବାସୀ ରୋଗୀଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା ଥିଲା ।
ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା ପରେ ବହୁ କଷ୍ଟରେ ବର୍ତ୍ତମାନ ମେଡିକାଲରେ ଶଯ୍ୟା ସଂଖ୍ୟା 269କୁ ବୃଦ୍ଧି କରାଯାଇଛି । ଯାହା ସମୁଦ୍ରକୁ ଶଙ୍ଖେ ବୋଲି ରୋଗୀଙ୍କ ସହ ମେଡିକାଲ କତୃପକ୍ଷ ମଧ୍ୟ ସ୍ବୀକାର କରୁଛନ୍ତି । ଏହି ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାଳୟ ଉପରେ ଭଦ୍ରକ ଜିଲ୍ଲା ସମେତ ପଡୋଶୀ କେନ୍ଦୁଝର ଏବଂ ଯାଜପୁର ଜିଲାର ଲୋକେ ମଧ୍ୟ ନିର୍ଭର କରନ୍ତି ।