ଓଡିଶା

odisha

ETV Bharat / state

ମାତାଲ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇଲେ, ମାରପିଟ୍ କଲେ - ଭଦ୍ରକ ଖବର

ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସକୁ ରାସ୍ତା ମଝିରେ ଅଟକାଇଲେ ମଦ୍ୟପ ଯୁବକ । ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଙ୍କା ଛଡ଼ାଇ ନେଲେ । ଅଧିକ ପଢନ୍ତୁ

ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ
ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ

By ETV Bharat Odisha Team

Published : Oct 6, 2023, 11:14 AM IST

Updated : Oct 6, 2023, 1:51 PM IST

ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଭଦ୍ରକ:ରାସ୍ତା ମଝିରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଗୁରୁତର ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ବାଟରେ ଅଟକାଇଲେ । ଡ୍ରାଇଭରଙ୍କୁ ମାଡ ମାରିବା ସହ ଜୋର ଜବରଦସ୍ତ ଟଙ୍କା ଛଡାଇ ନେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ କାଦବରାଙ୍ଗ-ବରପଦା ରାସ୍ତା ମଧ୍ୟରେ । ଘଟଣାରେ ପୋଲିସ ଜଣେ ଯୁବକଙ୍କ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଗୁରୁତର ହୋଇଯାଇଥିଲେ । ତେଣୁ ତାଙ୍କୁ ତୁରନ୍ତ ଉନ୍ନତମାନର ଚିକିତ୍ସା ପାଇଁ ଡାକ୍ତର ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ବ୍ୟବସ୍ଥା କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲେ । ହେଲେ ବାଟରେ ଦୁଇ ଜଣ ମଦ୍ୟପ ଯୁବକ ବାଇକରେ ଆମ୍ବୁଲାନ୍ସର ପିଛା କରି କାଦବରାଙ୍ଗରୁ ବରପଦା ମଝି ରାସ୍ତାରେ ଏହାକୁ ଅଟକାଇ ଥିଲେ । ଏହାପରେ ମଦ୍ୟପମାନେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାର୍ଲରରେ ପସି ଯୁବତୀଙ୍କୁ ଛୁରାମାଡ଼

ମାତ୍ର କର୍ମଚାରୀମାନେ ଟଙ୍କା ଦେବାକୁ ମନା କରିବାରୁ ଆମ୍ବୁଲାନ୍ସକୁ ବାଡ଼େଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଦୁଇ ମଦ୍ୟପ । ଆମ୍ବୁଲାନ୍ସ ସାମ୍ନାରୁ ମଟର ସାଇକେଲ ହଟାଇବାକୁ ଚେଷ୍ଟା କରିବାରୁ ମଦ୍ୟପ ଯୁବକ ଦ୍ୱୟ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ଏହାପରେ ଆମ୍ବୁଲାନ୍ସର ବାମପାର୍ଶ୍ଵ କାଚକୁ ଭାଙ୍ଗିବା ସହ ଡ୍ରାଇଭରଙ୍କ ପକେଟରୁ ଜୋର ଜବରଦସ୍ତି କିଛି ଟଙ୍କା ଛଡାଇ ନେଇଥିଲେ । ରୋଗୀ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ସେମାନେ ଗାଳି ଗୁଲଜ କରିଥିବାର ଜଣାପଡିଛି । ଏହି ସମୟରେ ଜଣେ ଯୁବକଙ୍କୁ ୧୦୮ କର୍ମଚାରୀମାନେ କାବୁ କରିବାରେ ସକ୍ଷମ ହୋଇଥିଲା ବେଳେ ଏହା ଦେଖି ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା ।

ଏନେଇ ଆମ୍ବୁଲାନ୍ସ କର୍ମଚାରୀମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ଜଣାଇ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଅଟକ ଥିବା ଯୁବକକୁ ଥାନାକୁ ଆଣି ପଚରାଉଚରା କରୁଛି । ଅନ୍ୟ ପକ୍ଷରେ ଏହି ଘଟଣା ବାବଦରେ ଅବଗତ ହେବା ପରେ ଆମ୍ବୁଲାନ୍ସ ସେବାର କର୍ତ୍ତୃପକ୍ଷ ଦିନେଶ କୁମାର ବାରିକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 6, 2023, 1:51 PM IST

ABOUT THE AUTHOR

...view details